ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାକୁ ସମ୍ମାନ, ରାଉରକେଲାରେ ଭାରତର ବଡ ହକି ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର- ରାଉରକେଲାରେ ନିର୍ମାଣ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ୨୦୨୩ ହକି ବିଶ୍ୱକପ୍ ରାଉରକେଲାରେ ବି ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ ନୂଆ ହକି ଷ୍ଟାଡିୟମ ନିର୍ମାଣ ସଂପର୍କରେ ଘୋଷଣା କରିଛନ୍ତି ।

ପ୍ରସ୍ତାବିତ ନୂଆ ହକି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିପାରିବେ । ଏହା ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 

ଷ୍ଟାଡିୟମ ସହ ଅନ୍ୟାନ୍ୟ ଭିତ୍ତିଭୂମିର ବି ନିର୍ମାଣ କରାଯିବ । ରାଉରକେଲାର ବିଜପ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି କ୍ୟାମ୍ପସ ପରିସରର ୧୫ ଏକର ଜମି ଉପରେ ନିର୍ମାଣ ହେବ ନୂଆ ହକି ଷ୍ଟାଡିୟମ । ୨୦୨୩ ବିଶ୍ୱକପ ହକି ଓଡିଶାରେ ଆୟୋନ ହେବାକୁ ଯାଉଛି । କଳିଙ୍ଗ ହକି ଷ୍ଟାଡିୟମ ସହ ରାଉରକେଲାରେ ବି ମ୍ୟାଚ ଖେଳାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁନ୍ଦରଗଡ ଜିଲ୍ଲା ଆମ ହକି ପ୍ରତିଭାର ପାୱାରହାଉସ୍ । ଦିଲ୍ଲୀପ ତିର୍କି ଓ ସୁନୀତା ଲାକ୍ରାଙ୍କ ଭଳି ଅନେକ ମହାନ ଖେଳାଳି ଏହି ଜିଲ୍ଲାରୁ ଜାତୀୟ ଦଳ ପାଇଁ ଖେଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତୀୟ ହକିକୁ ସୁନ୍ଦରଗଡର ଅବଦାନକୁ ମନେ ରଖି ରାଉରକେଲାରେ ଏକ ନୂଆ ଆନ୍ତର୍ଜାତିକ ହକି ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.