କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର ଦାବି ଜୋର୍ ଧରିଲା

ନୂଆଦିଲ୍ଲୀ: ୧୯୪୭ ମସିହାରେ ଭାରତର ସ୍ଵାଧୀନତାକୁ ‘ଭିକ’ ବୋଲି କହି ବିବାଦ ସୃଷ୍ଟି କରିଥିବା କଙ୍ଗନା ରନାୱତଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଉଛି । ତାଙ୍କୁ ପ୍ରଦାନ କରାଯାଇଥିବା ପଦ୍ମଶ୍ରୀକୁ ସରକାର ଫେରାଇ ନେବାକୁ ଦାବି ଜୋର୍ ଧରିବାରେ ଲାଗିଛି। କଙ୍ଗନାଙ୍କ ବିରୋଧରେ ସବୁ ବିରୋଧୀ ଦଳ ଏକାଠି ହୋଇଛନ୍ତି ।

କଙ୍ଗନାଙ୍କ ବିରୋଧରେ ଏହି ଅଭିଯାନର ନେତୃତ୍ୱ ନେଇ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କଙ୍ଗନାଙ୍କ ମନ୍ତବ୍ୟକୁ ଆଶ୍ଚର୍ଯ୍ୟଜନକ ଏବଂ ଅପମାନଜନକ ବୋଲି କହିଛନ୍ତି । କଙ୍ଗନାଙ୍କଙ୍କୁ ଦିଆଯାଇଥିବା ପଦ୍ମ ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସେ ଅନୁରୋଧ କରିଛନ୍ତି।

ଆନନ୍ଦ ଶର୍ମା ଏକ ଟୁଇଟ୍ ଜରିଆରେ କହିଛନ୍ତି, “କଙ୍ଗନା ରାନାୱତଙ୍କ ମନ୍ତବ୍ୟ ନା କେବଳ ମହାତ୍ମା ଗାନ୍ଧୀ, ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ ସାହସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ ବରଂ ସର୍ଦ୍ଦାର ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ ଏବଂ ଅନ୍ୟ ବିପ୍ଲବୀଙ୍କ ବଳିଦାନକୁ ମଧ୍ୟ ତୁଚ୍ଛ କରୁଛି।”

ଏପରି ପୁରସ୍କାର ଦେବା ପୂର୍ବରୁ ମନସ୍ତାତ୍ତ୍ୱିକ ମୂଲ୍ୟାୟନ କରାଯିବା ଉଚିତ, ଯାହା ଦ୍ଵାରା ଏହିପରି ବ୍ୟକ୍ତି ଦେଶ ତଥା ଏହାର ବୀରମାନଙ୍କୁ ଅପମାନିତ କରିବେ ନାହିଁ ବୋଲି ଆନନ୍ଦ ଶର୍ମା କହିଛନ୍ତି।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ମଧ୍ୟ କଙ୍ଗନାଙ୍କ ମନ୍ତବ୍ୟକୁ ଦାୟିତ୍ବହୀନ ବୋଲି କହିଛନ୍ତି।
ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଭାପତି ଜିତନ ରାମ ମାଞ୍ଝି, ଯାହାଙ୍କ ଦଳ ବିହାରରେ ଏନଡିଏ ସହ ମେଣ୍ଟ କରିଛି, କହିଛନ୍ତି ଯେ ସମସ୍ତ ନ୍ୟୁଜ ଚ୍ୟାନେଲ କଙ୍ଗନାଙ୍କୁ ବର୍ଜ୍ଜନ କରିବା ଉଚିତ।

ଶିବସେନା ନେତା ନୀଲମ ଗୋରେ କହିଛନ୍ତି ଯେ ଭାରତର ସ୍ଵାଧୀନତାକୁ “ଭିକ୍ଷା” ବୋଲି କହିଥିବାରୁ କଙ୍ଗନାଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ।
“ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି । ଏଥିପାଇଁ କେନ୍ଦ୍ର କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଫେରାଇ ଆଣି ତାଙ୍କୁ ଗିରଫ କରିବା ଉଚିତ।

ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ତଥା ଏନସିପି ନେତା ନଓ୍ବାବ ମଲିକ ମଧ୍ୟ କଙ୍ଗନାଙ୍କୁ ସମାଲୋଚନା କହିଛନ୍ତି। ସେ କହିଛନ୍ତି, କଙ୍ଗନା ଏପରି ବିବୃତ୍ତି ଦେବା ପୂର୍ବରୁ ବୋଧେ ମାଲାନା କ୍ରିମ୍ (ଏକ ନିର୍ଦ୍ଦିଷ୍ଟ ପ୍ରକାରର ନିଶାଦ୍ରବ୍ୟ) ସେବନ କରିଥିଲେ । ସେ ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି । ତାଙ୍କୁ ଗିରଫ କରିବା ସହ କେନ୍ଦ୍ର ତାଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରିନେବା ଉଚିତ୍ ।

ମୁମ୍ବାଇର ଆମ୍ ଆଦମୀ ପାର୍ଟି ନେତ୍ରୀ ପ୍ରୀତି ଶର୍ମା ମେନନ ମଧ୍ୟ କଙ୍ଗନାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। କଙ୍ଗନା ଦେଶଦ୍ରୋହୀ ତଥା ଉତ୍ତେଜନାମୂଳକ ବୟାନ ଦେଇଛନ୍ତି ବୋଲି ସେ କହିଛନ୍ତି।

ବିଜେପି ଭିତରୁ ମଧ୍ୟ କଙ୍ଗନା ସମାଲୋଚିତ ହୋଇଛନ୍ତି । ସ୍ବାଧୀନତା ନେଇ ବିବାଦୀୟ ବୟାନ ପାଇଁ କଙ୍ଗନାଙ୍କୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଭର୍ତ୍ସନା କରିଛନ୍ତି। କଙ୍ଗନାଙ୍କ ଭିଡିଓ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, “କେବେ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ବଳିଦାନକୁ ଅପମାନ ତ କେବେ ତାଙ୍କ ହତ୍ୟାକାରୀକୁ ସମ୍ମାନ; ଆଉ ଏବେ ସହିଦ୍ ମଙ୍ଗଳ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ ‌ | ମୁଁ ଏହି ଚିନ୍ତାଧାରାକୁ ପାଗଳାମି କହିବି ନା ଦେଶଦ୍ରୋହ ?”

ଏକ ଟିଭି ଚ୍ୟାନେଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ କଙ୍ଗନା କହିଥିଲେ ଯେ, ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତା ”ଭିକ” ଥିଲା । ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଭାରତ ପ୍ରକୃତ ସ୍ୱାଧୀନତା ପାଇଥିଲା।

Comments are closed.