୧୦ ୟୁଟ୍ୟୁବ ଚ୍ୟାନେଲର ୪୫ ଭିଡିଓକୁ ବ୍ଲକ୍ କଲେ ସରକାର

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ହିଂସା ଘଟାଇବା ଉଦ୍ଦେଶ୍ୟରେ ମିଥ୍ୟା ଖବର ପ୍ରସାରଣ ପାଇଁ କେନ୍ଦ୍ର ସରକାର ୪୫ଟି ଭିଡିଓ ଏବଂ ୧୦ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏପରି ଭିଡିଓ ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ଏବଂ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡିବା ପାଇଁ ଉଦ୍ଦିଷ୍ଟ | ଗୁଇନ୍ଦା ଇନପୁଟ ଆଧାରରେ ଏହି ସବୁ ଭିଡିଓକୁ ବ୍ଲକ୍ କରାଯାଇଛି ବୋଲି ସରକାର କହିଛନ୍ତି। ବ୍ଲକ୍ ହୋଇଥିବା ଭିଡିଓ ଗୁଡ଼ିକୁ ୧.୩ କୋଟିରୁ ଅଧିକ ଥର ଦେଖାଯାଇଥିଲା |

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି କହିଛନ୍ତି, ଦେଶ ବିରୋଧରେ ବିଷ ଉଗାରୁଥିବା ଓ ଭୁଲ ତଥା ବିଭ୍ରାନ୍ତିକର ତଥ୍ୟ ମାଧ୍ୟମରେ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହିତ ସମ୍ପର୍କକୁ ନଷ୍ଟ କରିବାକୁ ଉଦ୍ୟମ ପାଇଁ ୧୦ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇ ସେଗୁଡିକୁ ବନ୍ଦ କରାଯାଇଛି। ଦେଶ ହିତରେ ପୂର୍ବରୁ ମଧ୍ୟ ଏପରି କରାଯାଇଛି ଭବିଷ୍ୟତରେ ମଧ୍ୟ କରାଯିବ |

ସରକାରଙ୍କ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ବ୍ଲକ୍ କରାଯାଇଥିବା କିଛି ଭିଡିଓ ଅଗ୍ନିପଥ ଯୋଜନା, ଭାରତୀୟ ସଶସ୍ତ୍ର ବାହିନୀ, ଭାରତର ଜାତୀୟ ସୁରକ୍ଷା ବ୍ୟବସ୍ଥା, କାଶ୍ମୀର ଇତ୍ୟାଦି ପ୍ରସଙ୍ଗରେ ଅପପ୍ରଚାର ପାଇଁ ବ୍ୟବହାର ହେଉଥିଲା। ଏହି ଭିଡ଼ିଓ ଗୁଡ଼ିକର ବିଷୟବସ୍ତୁ ଜାତୀୟ ଦୃଷ୍ଟିକୋଣରୁ ଭୁଲ ଏବଂ ସମ୍ବେଦନଶୀଳ ବୋଲି ବିବେଚିତ ହୋଇଥିଲା |

Comments are closed.