ଗୁରୁବାର ଠାରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିବାରାତ୍ର ଟେଷ୍ଟ

ଆଡିଲେଡ୍ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟର ପ୍ରତୀକ୍ଷିତ ଚାରି ମ୍ୟାଚ୍ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେଉଛି । ଆଡିଲେଡରେ ଖେଳାଯିବ ସିରିଜର ପ୍ରଥମ ତଥା ଦିବାରାତ୍ର ଟେଷ୍ଟ୍ । ଗତଥର ଭଳି ଅଷ୍ଟ୍ରେଲିଆ ମାଟିରେ ପୁଣି ଆଧିପତ୍ୟ ଜାହିର କରିବାକୁ ବିରାଟ ବାହିନୀ ଅଣ୍ଟା ଭିଡିଥିବା ବେଳେ ଅଷ୍ଟ୍ରେଲୀୟ ଟିମ୍ ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ତେବେ ଘରୋଇ ଦଳ ପାଇଁ ଆଘାତ ସମସ୍ୟା ଚିନ୍ତାର କାରଣ ହୋଇଛି।

ମିଡିଆ ମୋଗୁଲ କେରୀ ପେକର୍ ୧୯୭୦ରେ ଯେବେ ନିଜର ଯୁଗାନ୍ତକାରୀ ‘ୱାର୍ଲ୍ଡ ସିରିଜ୍ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍’ର ପ୍ରଚାର ଆରମ୍ଭ କରିଥିଲେ, ସେତେବେଳେ ସେ ଏହାର ଏକ କ୍ୟାପସନ୍ ରଖିଥିଲେ – ‘ବିଗ୍ ବଏଜ୍ ପ୍ଲେ ଆଟ୍ ନାଇଟ୍’ । ଏହି କ୍ୟାପସନ୍ ଏବେ ଭାରତ-ଅଷ୍ଟ୍ରେଲିଆ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ପ୍ରଯୁଜ୍ୟ ବୋଲି କହିଲେ ଭୁଲ ହେବ ନାହିଁ ।

ବିଶ୍ୱର ଦୁଇ ଟପ୍ ଦଳ ମଧ୍ୟରେ ଲଢେଇରେ କୋହଲି ବନାମ ସ୍ମିଥ୍, ପୂଜାରା ବନାମ ଲାବୁସେନ ଓ ବୁମରା ବନାମ କମିନ୍ସ ଭଳି ବ୍ୟକ୍ତିଗତ ଲଢେଇ ବି ଦେଖିବାକୁ ମିଳିବ । ଆସନ୍ତା ପାଞ୍ଚ ଦିନ ପାଇଁ ଏହି ରୋମାଞ୍ଚକ ମୁକାବିଲା ଫ୍ଲଡ୍ ଲାଇଟରେ ଉଦ୍ଭାସିତ ଆଡିଲେଡ୍ ଓଭାଲ ରଣାଙ୍ଗନରେ ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ଏହି ବହୁ ପ୍ରତୀକ୍ଷିତ ମୁକାବିଲା ପୂର୍ବରୁ ଉଭୟ ଦଳ ଆଘାତ ସମସ୍ୟାରେ ଛନ୍ଦି ହୋଇଛନ୍ତି । ଭାରତୀୟ ଦଳର ସବୁଠୁ ଅଭିଜ୍ଞ ପେସର ଈଶାନ୍ତ ଶର୍ମା ଆହତ କାରଣରୁ ଏହି ଟେଷ୍ଟ ସିରିଜରୁ ବଞ୍ଚିତ ହୋଇଛନ୍ତି । ଭେଟେରାନ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ମଧ୍ୟ ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହୋଇଛନ୍ତି । ସେହିପରି ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ୍ ୱାର୍ଣ୍ଣର ମଧ୍ୟ ସମାନ କାରଣ ଯୋଗୁଁ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି । ଏହି ଦୃଷ୍ଟିରୁ ଉଭୟ ଦଳ ମଧ୍ୟରେ ସେଭଳି କିଛି ଫରକ୍ ନାହିଁ । ତେବେ ଭାରତ ତୁଳନାରେ ଅଷ୍ଟ୍ରେଲିଆ ଅଧିକ ପିଙ୍କ୍ ବଲ୍ ଟେଷ୍ଟ ଖେଳିଛି । ପିଙ୍କ୍ ବଲ୍ ଟେଷ୍ଟ ଅଭିଜ୍ଞତା ଓ ଘରୋଇ ପରିବେଶ ଦୃଷ୍ଟିରୁ ଅଷ୍ଟ୍ରେଲୀୟ ଦଳ ସାମାନ୍ୟ ଫାଇଦାରେ ରହିବ । ଅଷ୍ଟ୍ରେଲିଆ ଏଯାବତ ୮ଟି ପିଙ୍କ୍ ବଲ୍ ଟେଷ୍ଟ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ଖେଳିଛି । ଏହାଛଡ଼ା ଅଷ୍ଟ୍ରେଲିଆ ପିଙ୍କ୍ ବଲ୍ ଟେଷ୍ଟରେ କେବେ ହାରିନାହିଁ ।
ପ୍ରଥମ ଟେଷ୍ଟ ପରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଆସିବେ । ଭାରତ ଫେରିିବା ପୂର୍ବରୁ କୋହଲି ପ୍ରଥମ ଟେଷ୍ଟରେ ଦଳକୁ ବିଜୟମଣ୍ଡିତ କରି ଅବଶିଷ୍ଟ ତିନି ଟେଷ୍ଟ ପୂର୍ବରୁ ଦଳର ମନୋବଳ ବଢାଇବାକୁ ଚାହିଁବେ । ଭାରତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ ୨-୧ରେ ଜିତିଥିଲା । କିନ୍ତୁ ସେତେବେଳେ ଅଷ୍ଟ୍ରେଲୀୟ ଦଳ ତାର ଦୁଇ ବଡ଼ ଷ୍ଟାର ସ୍ମିଥ୍ ଓ ୱାର୍ଣ୍ଣରଙ୍କ ବିନା ଖେଳିଥିଲା । ଏବେ ଏହି ଦୁଇ ଅଭିଜ୍ଞ ଖେଳାଳି ଫେରିଥିବାରୁ ଅଷ୍ଟ୍ରେଲିଆ ବେଶ୍ ଶକ୍ତିଶାଳୀ ହୋଇଛି । ତେଣୁ ଭାରତୀୟ ଦଳକୁ ୨୦୧୮-୧୮ର ସଫଳତା ଦୋହରାଇବା ସହଜ ହେବ ନାହିଁ ।

ଭାରତୀୟ ଏକାଦଶ: ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ’, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ: ଟିମ୍ ପେନ୍ (ଅଧିନାୟକ/ୱିକେଟକିପର), ଜୋ ବନର୍ସ, ପ୍ୟାଟ୍ କମିନ୍ସ, କାମେରନ ଗ୍ରୀନ, ମାର୍କସ୍ ହାରିସ୍, ଜୋସ୍ ହାଜଲଉଡ୍, ଟ୍ରାଭିସ୍ ହେଡ୍, ମୋଜେସ୍ ହେନରିକ୍ସ, ମାର୍ନସ ଲାବୁସେନ, ନାଥନ ଲାୟନ, ମାଇକେଲ ନିସର, ଜେମ୍ସ ପାଟିନସନ୍, ଷ୍ଟିଭ୍ ସ୍ମିଥ, ମଚେଲ ଷ୍ଟାର୍କ, ମିଚେଲ ସ୍ୱେପସନ, ମାଥ୍ୟୁ ୱେଡ୍ ।

Comments are closed.