ତାଲିବାନ ସହ ଭାରତର ପ୍ରଥମ ଔପଚାରିକ ଆଲୋଚନା, କାତାରରେ ତାଲିବାନ ନେତା ଷ୍ଟାନିକଜାଇଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ:ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନ ସହ ପ୍ରଥମ ଥର ଔପଚାରିକ ଆଲୋଚନା କରିଛି ଭାରତ । କାତାରରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର ବରିଷ୍ଠ ନେତା ଶେର୍ ମହମ୍ମଦ ଆବାସ୍ ଷ୍ଟାନିକଜାଇଙ୍କୁ ଭେଟିଛନ୍ତି ।

ତାଲିବାନ ନେତା ଷ୍ଟାନିକଜାଇଙ୍କ ସହ ଆଲୋଚନାରେ ମିତ୍ତଲ ଆଫଗାନିସ୍ତାନରେ ଭାରତ ବିରୋଧୀ ଓ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଭାରତର ଆଶଙ୍କା ସମ୍ପର୍କରେ ଜଣାଇଥିଲେ । ଏହାଛଡ଼ା ଆଫଗାନିସ୍ତାନରେ ଫସିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ କିପରି ଶୀଘ୍ର ଉଦ୍ଧାର କରାଯିବ ସେନେଇ ଆଲୋଚନା ହୋଇଥିଲା । ଆଫଗାନିସ୍ତାନ ନାଗରିକ, ବିଶେଷକରି ସଂଖ୍ୟାଲଘୁଙ୍କୁ ଭାରତ ପଠାଇବା ଉପରେ ବି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି ।

ତାଲିବାନର ଅନୁରୋଧରେ ଦୋହା ସ୍ଥିତ ଭାରତୀୟ ଦୂତାବାସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ ଉଠାଇଥିବା ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ ବୋଲି ତାଲିବାନ ପ୍ରତିନିଧୀ ପ୍ରତିଶ୍ରୁତି ଦେଇଥିବା ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଆଫଗାନିସ୍ତାନ-ଭାରତ ସମ୍ପର୍କ ଉପରେ ବିଶେଷଜ୍ଞ କହିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି ପରେ ତାଲିବାନ ଓ ଭାରତ ମଧ୍ୟରେ ପ୍ରଥମ ଔପଚାରିକ ଓ ସାଧାରଣରେ ସ୍ୱୀକୃତ ଆଲୋଚନା ହୋଇଛି ।

ତାଲିବାନ ନେତା ଶେର୍ ମହମ୍ମଦ ଆବାସ୍ ଷ୍ଟାନିକଜାଇ ହେଉଛନ୍ତି ତାଲିବାନର ଜଣେ ବରିଷ୍ଠ ରାଜନୈତିକ ଉପଦେଷ୍ଟା । ଭାରତ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି । ଅଶୀ ଦଶକରେ ଷ୍ଟାନିକଜାଇ ଭାରତର ଡେରାଡୁନରେ ଥିବା ମିଲିଟାରୀ ଏକାଡେମୀ (ଆଇଏମ୍‌ଏ)ରେ ତାଲିମ ନେଇଥିଲେ । ଏହାପରେ ସେ ଆଫଗାନିସ୍ତାନ ସେନାରେ ସାମିଲ ହୋଇଥିଲେ । ତେବେ ପରେ ସେ ଆଫଗାନିସ୍ତାନ ସେନା ଛାଡ଼ି ତାଲିବାନ ସହ ହାତ ମିଳାଇଥିଲେ ।

Comments are closed.