ମାନବ ବିକାଶ ସୂଚକାଙ୍କରେ ୧୩୧ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ – ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୦ ମାନବ ବିକାଶ ସୂଚକାଙ୍କରେ ଭାରତ ୧୮୯ ଟି ଦେଶ ମଧ୍ୟରେ ୧୩୧କୁ ଖସି ଆସିଛି। ମାନବ ବିକାଶ ସୂଚକାଙ୍କ ହେଉଛି ଏକ ଦେଶର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନ ଧାରଣର ମାନ ଆକଳନ।

୨୦୧୯ରେ ଜନ୍ମ ସମୟରେ ଭାରତୀୟଙ୍କ ଆୟୁ ୬୯.୭ ବର୍ଷ ହୋଇଥିବାବେଳେ ବାଂଲାଦେଶର ଆୟୁ ୭୨.୬ ବର୍ଷ ଏବଂ ପାକିସ୍ତାନର ୬୭.୩ ବର୍ଷ ବୋଲି ୨୦୨୦ ମାନବ ବିକାଶ ରିପୋର୍ଟରେ କୁହାଯାଇଛି।

ମଧ୍ୟମ ମାନବ ବିକାଶ ସହ ଦେଶ ମଧ୍ୟରେ ଭାରତ, ଭୁଟାନ (୧୨୯), ବାଂଲାଦେଶ (୧୩୩), ନେପାଳ (୧୪୨) ଏବଂ ପାକିସ୍ଥାନ (୧୫୪) ସ୍ଥାନ ପାଇଛନ୍ତି ‌।

୨୦୧୯ ପାଇଁ ଭାରତର ମାନବ ବିକାଶ ସୂଚକାଙ୍କ ମୂଲ୍ୟ ହେଉଛି ୦.୬୪୫ ଯାହା ଏହାକୁ ମଧ୍ୟମ ମାନବ ବିକାଶ ବର୍ଗରେ ରଖିଛି | ରିପୋର୍ଟ ଅନୁଯାୟୀ, ୧୮୯ଟି ଦେଶ ଏବଂ ଅଞ୍ଚଳ ମଧ୍ୟରୁ ଭାରତର ସ୍ଥାନ ହେଉଛି ୧୩୧ । ୨୦୧୮ରେ ଭାରତ ୧୩୦ତମ ସ୍ଥାନରେ ଥିଲା ।

ୟୁଏନଡିପି ରିପୋର୍ଟ ଅନୁଯାୟୀ, ମାନବ ବିକାଶ ସୂଚକାଙ୍କରେ ନରୱେ ଶୀର୍ଷରେ ରହିଥିବା ବେଳେ ଆୟର୍ଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ହଂକଂ ଏବଂ ଆଇସଲ୍ୟାଣ୍ଡ ଟପ୍-୫ରେ ସ୍ଥାନ ପାଇଛନ୍ତି ।

Comments are closed.