ଉଦ୍ଧବ ସରକାରର ପତନ ପରେ ଏମିତି ପ୍ରତିକ୍ରିୟା ଦେଲେ କଙ୍ଗନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଅଭିନେତ୍ରୀ କଙ୍ଗନା ରନୌତ ଏକ ଭିଡିଓ ଜାରି କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଜାରି କରି କହିଛନ୍ତି – ଯେତେବେଳେ ପାପ ବଢ଼ିଯାଏ ସେତେବେଳେ ବିନାଶ ହିଁ ହୁଏ ଏବଂ ତା’ପରେ ସଂରଚନା ଆରମ୍ଭ ହୁଏ – ଏବଂ ଜୀବନର କମଳ ଫୁଟେ |

କ୍ଷମତାକୁ ଆସିବା ପରଠାରୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାର ସହ ଅନେକ ପ୍ରସଙ୍ଗରେ କଙ୍ଗନା ରନୌତଙ୍କ ବିବାଦ ଲାଗି ରହିଥିଲା ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଆରୋପ ଏବଂ ପ୍ରତ୍ୟାରୋପରୁ ଆରମ୍ଭ ହୋଇଥିବା ବିବାଦ କଙ୍ଗନାଙ୍କ ଅଫିସ୍ ଭାଙ୍ଗିବା ଯାଏଁ ଯାଇଥିଲା । ଅଦାଲତର ହସ୍ତକ୍ଷେପ ପରେ ଯଦିଓ ଏଥିରେ ରୋକ୍ ଲାଗିଥିଲା, କିନ୍ତୁ ସେତେବେଳକୁ ତାଙ୍କ ଅଫିସର ଏକ ବଡ଼ ଅଂଶ ଭଙ୍ଗା ସରିଥିଲା | ଏହା ପରେ ମଧ୍ୟ ବୟାନବାଜି ଜାରି ରହିଥିଲା | ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହ ମଧ୍ୟ କଙ୍ଗନାଙ୍କ ଅନେକ ବିବାଦ ହୋଇଥିଲା।

ଉଦ୍ଧବ ସରକାର କ୍ଷମତାକୁ ଆସିବା ପରେ କଙ୍ଗନା ରନୌତ ଏକ ବୟାନରେ କହିଥିଲେ ଯେ ସେ ମୁମ୍ବାଇରେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସହିତ ତୁଳନା କରିଥିଲେ, ଯାହା ପରେ ସଞ୍ଜୟ ରାଉତ ଏବଂ କଙ୍ଗନା ମଧ୍ୟରେ ଦୀର୍ଘ ସମୟ ଧରି ବାକ୍ ବିତଣ୍ଡା ଚାଲିଥିଲା ​​|

ବର୍ତ୍ତମାନ ଶିବସେନା ନେତୃତ୍ୱାଧୀନ ସରକାରର ପତନ ପରେ ତାଙ୍କ ଭିଡିଓ ବାର୍ତ୍ତାରେ କଙ୍ଗନା କହିଛନ୍ତି – ୧୯୭୫ ପରେ ଏହି ସମୟ ଭାରତର ଗଣତନ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ। ୧୯୭୫ରେ ଲୋକନେତା ଜେପି ନାରାୟଣଙ୍କ ‘ସିଂହାସନ ଛାଡ଼ ଜନତା ଆସୁଛନ୍ତି’ ଡାକରାରେ ସିଂହାସନ ଖସି ଯାଇଥିଲା ।

କଙ୍ଗନା କହିଛନ୍ତି- ୨୦୨୦ରେ ମୁଁ କହିଥିଲି ଯେ ଗଣତନ୍ତ୍ର ହେଉଛି ଏକ ବିଶ୍ୱାସ ଏବଂ ଯିଏ କ୍ଷମତାର ଅହଙ୍କାରରେ ଏହି ବିଶ୍ୱାସକୁ ଭାଙ୍ଗେ, ତା’ର ଗର୍ବ ମଧ୍ୟ ଭାଙ୍ଗିବା ନିଶ୍ଚିତ। ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଶକ୍ତି ନୁହେଁ | ଏହା ହେଉଛି ଏକ ପ୍ରକୃତ ଚରିତ୍ରର ଶକ୍ତି |

ସେ ଆହୁରି ମଧ୍ୟ କହିଛନ୍ତି – ହନୁମାନ ଜୀଙ୍କୁ ଶିବଙ୍କର ଦ୍ୱାଦଶ ଅବତାର ବୋଲି ବିବେଚନା କରାଯାଏ ଏବଂ ଯଦି ଶିବସେନା ହନୁମାନ ଚାଳିଶାକୁ ବ୍ୟାନ୍ କରନ୍ତି, ତେବେ ଶିବ ମଧ୍ୟ ସେମାନଙ୍କୁ ବଞ୍ଚାଇ ପାରିବେ ନାହିଁ। ସବୁଆଡେ ଶିବ | ଜୟ ହିନ୍ଦ୍, ଜୟ ମହାରାଷ୍ଟ୍ର ।”

ଫ୍ଲୋର୍ ଟେଷ୍ଟ ପାଇଁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିବା ପରେ ବୁଧବାର ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ନିକଟରେ ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅନେକ ବିଧାୟକ ଉଦ୍ଧବ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ପ୍ରଥମେ ଏହି ବିଦ୍ରୋହୀ ନେତାମାନେ ଗୁଜୁରାଟ, ଏବଂ ତା’ପରେ ଆସାମର ଗୁଆହାଟୀ ପଳାଇଥିଲେ । ଗୁଆହାଟୀରୁ ଗତକାଲି ସେମାନେ ଗୋଆରେ ପହଞ୍ଚିଥିଲେ । ବର୍ତ୍ତମାନ ଏକନାଥ ସିନ୍ଦେ ଗୋଷ୍ଠୀର ସମର୍ଥନରେ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସଙ୍କ ସରକାର ଗଠନ ହେବା ସ୍ପଷ୍ଟ ହୋଇଛି ।

Comments are closed.