୯ ମାସ ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର , ଡିସେମ୍ବର ୩୧ ଯାଏଁ ସେବାୟତ ଓ ପରିବାର ସଦସ୍ୟ କରିବେ ଦର୍ଶନ

ଭୁବନେଶ୍ୱର– ଦୀର୍ଘ ୯ ମାସର ଅପେକ୍ଷା ଶେଷ ହେବ । ଆସନ୍ତାକାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । କାଲିଠାରୁ ୩୧ ତାରିଖ ଯାଏଁ ମନ୍ଦିରରେ ସେବାୟତ ଓ ସେମାନଙ୍କ ପରିବାର ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ମନ୍ଦିର ଖୋଲିବା ପୂର୍ବରୁ ଆଜି ଏହାର ଚାରିପାଖ ବିଶୋଧନ କରାଯାଇଛି । ଜାନୁଆରୀ ୧ ଓ ୨ ତାରିଖରେ ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଜାନୁଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ଲୋକଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ । ଜାନୁଆରୀ ୬ ତାରିଖଠାରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତିନିଥାକିଆ ସୁରକ୍ଷା ଓ ଯାଂଚ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି ।

ମନ୍ଦିର ଗେଟ୍‌ରେ ଭକ୍ତଙ୍କ ସ୍କ୍ରିନିଂ କରାଯିବ । ତାପରେ ସେମାନଙ୍କୁ ଦର୍ଶନ ପାଇଁ ଛଡାଯିବ । ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବା ବେଳେ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ହେବ । ମନ୍ଦିର ମଧ୍ୟକୁ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । କାହାରିକୁ ଗର୍ଭଗହକୁ ଯାଇ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ । ଆଡପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ ଭକ୍ତ ।

Comments are closed.