ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

ବେଙ୍ଗାଲୁରୁ – ମହାରାଷ୍ଟ୍ର ପରେ କର୍ଣ୍ଣାଟକ ସରକାର ବି ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ରାଜ୍ୟରେ ରାତ୍ରିକାଳୀନ କଫ୍ରୁ୍ୟ ଜାରି କରାଯିବ । କର୍ଫ୍ୟୁ ଅବଧି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବ ।

କରୋନାର ନୂଆ ଷ୍ଟ୍ରେନ୍ ଠାବ ହେବା ପରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କର୍ଣ୍ଣାଟକ ସରକାର ବ୍ରିଟେନ, ଡେନମାର୍କ ଓ ନେଦରଲାଣ୍ଡ୍‌ସରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି । ଏହିସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ ପାଇଁ ବିମାନ ବନ୍ଦରରେ ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୁପ୍ପା କହିଥିଲେ ଯେ, ରାତ୍ରିକାଳୀନ କର୍ଫ୍ୟୁ ଲଗାଇବା ଆଉ କୌଣସି ଆବଶ୍ୟକତା ନାହିଁ । ତେବେ ବ୍ରିଟେନରୁ ଚେନ୍ନାଇ ଫେରିଥିବା ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଅତିରିକ୍ତ ସତର୍କତା ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି । ବାହାରୁ ଆସୁଥିବା ସବୁ ଯାତ୍ରୀଙ୍କ ଏୟାରପୋର୍ଟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ରାଜ୍ୟରେ ନୂଆ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯିବ ବୋଲି ୟେଦିରୁପ୍ପା କହିଛନ୍ତି ।

Comments are closed.