ବିରୋଧୀଙ୍କ ହଙ୍ଗାମା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ଆଖିରେ ଲୁହ, ଲୋକସଭା ଅନିର୍ଦ୍ଦିଷ୍ଟ କାଳ ମୁଲତବୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଲଗାତାର ହୋହଲ୍ଲାରେ ଦୁଃଖ ପ୍ରକାଶ କରି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କୟା ନାୟୁଡୁ ଭାବବିହ୍ୱଳ ହୋଇଛନ୍ତି । ସେ କହିଛନ୍ତି ଯେ, ଗଣତନ୍ତ୍ରର ମନ୍ଦିରର ଗରିମା ନଷ୍ଟ ହେବା ଦେଖି ସେ ସାରା ରାତି ଶୋଇପାରି ନାହାନ୍ତି । କାଲି ଯାହା ଘଟିଥିଲା, ତାହା ଗଣତନ୍ତ୍ରର ପରିପନ୍ଥୀ ।

ଗତାକାଲି କୃଷି ଆଇନ ଉପରେ ଚର୍ଚ୍ଚା ବେଳେ ବିରୋଧୀ ଦଳ ସଦସ୍ୟ ଗୃହ ମଧ୍ୟକୁ ଚାଲିଆସି ଟେବୁଲ ଉପରେ ଚଢ଼ି କଳା ପତାକା ଦେଖାଇବା ସହ ଅଧ୍ୟକ୍ଷଙ୍କ ଟେବୁଲ ଉପରକୁ ରୁଲ୍ ବୁକ୍ ଫିଙ୍ଗିଥିଲେ । ସେମାନେ ଘଣ୍ଟା ଘଣ୍ଟା ଧରି ଟେବୁଲ ଉପରେ ବସି ରହିଥିବା ବେଳେ ଆଉ କିଛି ସଦସ୍ୟ ଟେବୁଲ ଉପରେ ଛିଡ଼ା ହୋଇ ନାରାବାଜି କରିଥିଲେ ।

ସଂସଦକୁ ଗଣତନ୍ତ୍ରର ମନ୍ଦିର ଭାବେ ଏବଂ ଗୃହର କେନ୍ଦ୍ରସ୍ଥଳକୁ ଗର୍ଭଗୃହ ଭାବେ ଅଭିହିତ କରି ନାୟୁଡୁ କହିଛନ୍ତି, ଗତକାଲି ଯେଉଁଭଳି ଭାବେ ଗୃହର ପବିତ୍ର୍ରତା ନଷ୍ଟ କରାଗଲା ସେଥିରେ ମୁଁ ମର୍ମାହତ । ଗୃହତ ସଦସ୍ୟ ବିରୋଧ ପ୍ରଦର୍ଶନ କରିପାରନ୍ତି, କିନ୍ତୁ ସେମାନେ ଅଧ୍ୟକ୍ଷଙ୍କୁ କଣ କରିବାକୁ ହେବ କଣ ନାହିଁ ତାହା ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହି ନାୟୁଡୁ କାନ୍ଦି ପକାଇଥିଲେ ।

ରାଜ୍ୟସଭାରେ ଗତକାଲି ବିଶୃଙ୍ଖଳା ସୃଷ୍ଟି କରିଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଅନ୍ୟପଟେ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ରଖାଯାଇଛି । ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବାର ଥିଲା । ହେଲେ ଦୁଇ ଦିନ ପୂର୍ବରୁ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ରଖାଯାଇଛି । ପେଗାସସ୍‌, କୃଷକ ଆନ୍ଦୋଳନ ଏବଂ ତୈଳଦର ବୃଦ୍ଧି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ।

Comments are closed.