ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ କାବୁଲ ଯିବ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ବିମାନ ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାବୁଲ ଯିବ। ଏହି ବିମାନ ଦିଲ୍ଲୀରୁ କାବୁଲକୁ ଦିନ‌ ପ୍ରାୟ ୧୨:୩୦ରେ ଉଡ଼ାଣ ଭରିବ। ଏୟାର ଇଣ୍ଡିଆର ଏହି ବିମାନ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ବଦେଶ ଆଣିବ। ତେବେ ଆଫଗାନିସ୍ତାନ ସଙ୍କଟ ସତ୍ତ୍ୱେ ଏୟାର ଇଣ୍ଡିଆ ଏପର୍ଯ୍ୟନ୍ତ ନିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିନାହିଁ।
ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରୁ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟକ ଲୋକ ଅଟକି ରହିଛନ୍ତି । ଏହି ସବୁ ଲୋକ ଆଫଗାନିସ୍ତାନ ଛାଡି ନିଜ ନିଜ ଦେଶକୁ ଫେରିବାକୁ ଚାହାଁନ୍ତି।

ସୂଚନାଯୋଗ୍ୟ ଯେ ଏୟାର ଇଣ୍ଡିଆର ଅଧିକାରୀମାନେ ରବିବାର କହିଥିଲେ ଯେ ଇଣ୍ଡିଆନ୍ ଏୟାରଲାଇନ୍ସର ଦିଲ୍ଲୀ-କାବୁଲ-ଦିଲ୍ଲୀ ବିମାନକୁ ବାତିଲ କରିବା ପାଇଁ କୌଣସି ଯୋଜନା ନାହିଁ। ଏହି ବିମାନ ସୋମବାର ମଧ୍ୟ ଚଳାଚଳ ଜାରି ରଖିବ।

ଆଫଗାନିସ୍ତାନ ରାଜଧାନୀ କାବୁଲରେ ତାଲିବାନର ପ୍ରବେଶ ପରେ ଲୋକମାନେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ଏକ ଏୟାର ଇଣ୍ଡିଆ ବିମାନ ୧୨୯ ଜଣ ଯାତ୍ରୀଙ୍କ ସହ କାବୁଲରୁ ଭାରତ ଫେରିଥିଲା।

କାବୁଲରୁ ଦିଲ୍ଲୀରେ ପହଞ୍ଚିବା ପରେ ଆଫଗାନିସ୍ତାନର ପୂର୍ବତନ ସାଂସଦ ଜମୀଲ କରଜାଇ ନିଜ ଯନ୍ତ୍ରଣା ବ୍ୟକ୍ତ କରିଥିଲେ। ଏଥିପାଇଁ ବର୍ତ୍ତମାନର ଅଶରଫ ଘାନି ସରକାରଙ୍କୁ ସେ ଦାୟୀ କରି କହିଥିଲେ ମୁଁ ଆଫଗାନିସ୍ତାନରୁ ପଳାଇ ଆସିଛି, ତେଣୁ ସେଠାରେ ପରିସ୍ଥିତି କ’ଣ ହେବ ଆପଣ ବୁଝିପାରୁଥିବେ। ଅଶରଫ ଘାନିଙ୍କ ଦଳ ଦେଶଦ୍ରୋହୀ। ସେ ଆଫଗାନିସ୍ତାନର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଲୋକମାନେ ସେମାନଙ୍କୁ କଦାପି କ୍ଷମା ଦେବେ ନାହିଁ ।

Comments are closed.