କଡ଼ାକଡ଼ି ହେଲା ଟ୍ରାଫିକ ନିୟମ, ଉଲ୍ଲଂଘନକାରୀଙ୍କୁ ୧୫ ଦିନ ମଧ୍ୟରେ ପଠାଇବାକୁ ହେବ ନୋଟିସ୍, ଆଉ କ’ଣ ପରିବର୍ତ୍ତନ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ପରିବହନ ମନ୍ତ୍ରଣାଳୟର ନୂଆ ବିଜ୍ଞପ୍ତି ଅନୁଯାୟୀ ଟ୍ରାଫିକ ନିୟମ ଉଲ୍ଲଂଘନ ହେଲେ ସମ୍ପୃକ୍ତ ରାଜ୍ୟ ସଂସ୍ଥା ପନ୍ଦର ଦିନ ମଧ୍ୟରେ ଉଲ୍ଲଂଘନକାରୀଙ୍କୁ ନୋଟିସ ପଠାଇବାକୁ ପଡ଼ିବ। ଏହା ସହିତ ପରିବହନ ମନ୍ତ୍ରଣାଳୟର ନୂତନ ନିୟମ ଅନୁଯାୟୀ, ଚାଲାଣର ଫଇସଲା ପର୍ଯ୍ୟନ୍ତ ଏହାର ଇଲେକ୍ଟ୍ରୋନିକ୍ ରେକର୍ଡ ରଖିବାକୁ ପଡିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମ ଅନୁଯାୟୀ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି। ଏହି ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ଚାଲାଣ ଜାରି କରିବା ପାଇଁ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯିବ ଅର୍ଥାତ ଉଲ୍ଲଂଘନକାରୀଙ୍କୁ ଇ-ଚାଲାଣ ଜାରି କରାଯିବ |

ମନ୍ତ୍ରଣାଳୟ ଏ ସମ୍ପର୍କରେ ଅନେକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ନିୟମ ଭାଙ୍ଗିବା ସମ୍ପର୍କରେ ସୂଚନା ପନ୍ଦର ଦିନ ମଧ୍ୟରେ ପଠାଯିବ। ଏହା ସହିତ, ଇଲେକ୍ଟ୍ରୋନିକ୍ ସିସିଟିଭି ମାଧ୍ୟମରେ ସଂଗୃହିତ ଇଲେକ୍ଟ୍ରୋନିକ୍ ରେକର୍ଡଗୁଡିକ ଚାଲାଣର ଫଇସଲା ପର୍ଯ୍ୟନ୍ତ ସଂରକ୍ଷଣ ରଖିବାକୁ ପଡିବ | ନୂଆ ନିୟମ ଅନୁଯାୟୀ, ଇଲେକ୍ଟ୍ରୋନିକ୍ ଏନଫୋର୍ସମେଣ୍ଟ ଉପକରଣଗୁଡ଼ିକରେ ସ୍ପିଡ୍ କ୍ୟାମେରା, କ୍ଲୋଜ-ସର୍କିଟ ଟେଲିଭିଜନ କ୍ୟାମେରା, ସ୍ପିଡ୍ ଗନ୍, ବଡି ବିୟରବେଲ କ୍ୟାମେରା, ଡ୍ୟାସବୋର୍ଡ କ୍ୟାମେରା, ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିକଗନିସନ୍ (ଏଏନପିଆର୍), ଓ୍ବେଟ୍-ଇନ୍ ମେସିନ୍ (ଡବ୍ଲୁଆଇଏମ୍) ଏବଂ ଆହୁରି ଅନେକ ଟେକନିକ୍ ସାମିଲ କରାଯାଇଛି |

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରମୁଖ ସହର, ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଗୁରୁତ୍ୱପୂର୍ଣ୍ଣ ଜଙ୍କସନରେ ଏହିପରି ଉପକରଣଗୁଡ଼ିକ ସ୍ଥାପିତ କରାଯିବା ନେଇ ରାଜ୍ୟ ସରକାର ନିଶ୍ଚିତ କରିବେ। ବିଜ୍ଞପ୍ତିରେ ଏପରି ୧୩୨ଟି ସହର ଉଲ୍ଲେଖ କରାଯାଇଛି ଯାହାକି ହାଇରିସ୍କ ଭାବେ ଅଭିହିତ କରାଯାଇଛି | ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଏପରି ଭାବରେ ସ୍ଥାପିତ କରାଯିବା ଉଚିତ ଯେମିତିକି ରାଜପଥରେ ଯାନବାହାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ।

Comments are closed.