ଏପଟେ ବିଜେପିର ଜନ ଆଶୀର୍ବାଦ ଯାତ୍ରା , ସେପଟେ ଜନବିରୋଧୀ ପଦକ୍ଷେପ

କରଛଡା ଦେଉଛନ୍ତି କେନ୍ଦ୍ରୀୟ ଅନୁଷ୍ଠାନ

ସମ୍ବଲପୁର : ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପାଗ ଭିଡ଼ିବା ଆରମ୍ଭ କଲେଣି । ବିଶେଷ କରି ପଞ୍ଚାୟତ ନିର୍ବାଚନ ପାଇଁ ଏବେ ନେତାମାନେ ଗାଁ ମୁହାଁ ହେଲେଣି । ଏଭଳି ସ୍ଥିତିରେ ନବୀନ ସରକାରଙ୍କ ଗୋଟିଏ ପରେ ଗୋଟିଏ ଜନ ମଙ୍ଗଳକାରୀ ଯୋଜନା ବିରୋଧୀଙ୍କ ପାଇଁ କାଳ ହୋଇଥିବା ଚର୍ଚ୍ଚା ଜୋର ଧରିଲାଣି । ଏହାକୁ ମୁକାବିଲା କରିବାକୁ ବର୍ତ୍ତମାନ ବିଜେପି ତାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶାରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି । ନୂଆଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଦିନ ହେଲା ଓଡିଶାରେ ଜନ ଆର୍ଶିବାଦ ଯାତ୍ରା କରି ଲୋକଙ୍କ ପ୍ରିୟଭାଜନ ହେବାକୁ ଚେଷ୍ଟା କରୁଛନ୍ତି । ହେଲେ ଓଡିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ରାଜ୍ୟବାସୀଙ୍କ ସ୍ବାର୍ଥ ପରିପନ୍ଥୀ କାମ ଜାରି ରଖିଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ବିଜେପି ପ୍ରତି ଏକ ନକରାତ୍ମକ ବାତାବରଣ ସୃଷ୍ଟି କରୁଥିବା ଚର୍ଚ୍ଚା ଜୋର ଧରିଲାଣି । ବିଶେଷ କରି କେନ୍ଦ୍ର ସରକାର ପଶ୍ଚିମ ଓଡିଶାରୁ ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ଅନୁଷ୍ଠାନକୁ ଉଠାଇ ନେଉଥିବାରୁ ଏହା ଲୋକଙ୍କ ପାଇଁ ଅସନ୍ତୋଷର କାରଣ ହୋଇଛି । ସମ୍ବଲପୁରର ବୁର୍ଲାରେ ଅର୍ଦ୍ଧଶତାବ୍ଦୀ ଧରି କେନ୍ଦ୍ରୀୟ ମତ୍ସ୍ଯ ଗବେଷଣା କେନ୍ଦ୍ର ଥିଲା । ଏହା ଦେଶର ଏକମାତ୍ର ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ଭାବେ ଖ୍ୟାତି ପାଇଥିଲା । ହୀରାକୁଦ ଜଳଭଣ୍ଡାରରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ସେବାରେ ଏହି ଅନୁଷ୍ଠାନ କାମ କରୁଥିଲା । ମସ୍ୟଜୀବୀଙ୍କୁ ତାଲିମ ସହିତ ଆବଶ୍ୟକ ଉପକରଣ ଯୋଗାଇବା ଆଦି ଏହି ଅନୁଷ୍ଠାନର ଦାୟିତ୍ବ ଥିଲା । ହେଲେ ପ୍ରାୟ ଏକ ଦଶନ୍ଧି ହେଲା ପର୍ଯ୍ୟାୟକ୍ରମେ ଏଠାରୁ ଜଣେ ପରେ ଜଣେ କର୍ମଚାରୀଙ୍କୁ କେରଳର କୋଚିନ୍ ସମେତ ବିଶାଖାପାଟଣା ଆଦି ସ୍ଥାନକୁ ବଦଳି କରାଗଲା । ପରେ ଏହାର ଯନ୍ତ୍ରପାତିକୁ ମଧ୍ୟ ଲୁଚାଛପାରେ ସ୍ଥାନାନ୍ତର ଚାଲିଥିଲା । ତେବେ , ଏହାର ବିରୋଧରେ ସ୍ଥାନୀୟ ଲୋକେ ହାଇକୋର୍ଟର ଦ୍ବାରସ୍ଥ ହୋଇ ରହିତାଦେଶ ଆଣିଥିଲେ । କିନ୍ତୁ , ମାତ୍ର ବର୍ଷକର ବ୍ୟବଧାନରେ ରହିତାଦେଶ ଉଠିବା ପରେ ଏହି କେନ୍ଦ୍ରକୁ ସଂପୂର୍ଣ୍ଣ ଭାବେ ଉଠାଇ ନିଆଗଲା । ଏପରିକି ରାଜ୍ୟ ସରକାରଙ୍କ ପ୍ରତିବାଦ ସତ୍ତ୍ବେ କେନ୍ଦ୍ର କର୍ଣପାତ କରିନଥିଲା । ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥମିନାହିଁ ।

ଏଭଳି ସ୍ଥିତିରେ ଗତ ଅପ୍ରେଲ ପହିଲାରୁ ସମ୍ବଲପୁର ରୋଡ ଷ୍ଟେସନକୁ ରେଳବାଇ ଉଚ୍ଛେଦ କରି ଦେଇଛି । ଚଳିତବର୍ଷ ଗାନ୍ଧୀଙ୍କ ଦେଢଶହ ବର୍ଷ ଜନ୍ମବାର୍ଷିକୀ ପାଳନ ଚାଲିଥିବା ବେଳେ ଗାନ୍ଧୀଙ୍କ ସ୍ମାରକୀ ବହନ କରୁଥିବା ଏହି ଷ୍ଟେସନ୍ ଉଚ୍ଛେଦ ପ୍ରତିବାଦରେ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି । ବିଜେଡି ସମେତ ସବୁ ରାଜନୈତିକ ଦଳ ସମେତ ସାଧାରଣ ଜନତା ଏହାର ପ୍ରତିବାଦ କରୁଥିଲେ ହେଁ କେନ୍ଦ୍ର ରେଳ ବିଭାଗ କର୍ଣପାତ କରୁନାହିଁ । ଫଳରେ ଆଜି ବଲାଙ୍ଗୀରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସମ୍ବଲପୁର ସଚେତନ ନାଗରିକ କମିଟି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ସେହପରି ଆଉ ଏକ କେନ୍ଦ୍ର ଅବହେଳାର ନମୁନା ହେଉଛି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ଚକ୍ରାନ୍ତ ! ରାଜ୍ୟର ପ୍ରଥମ ଦୂରଦର୍ଶନ କେନ୍ଦ୍ର ଭାବେ ପରିଚିତ ପାଇଥିବା ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ବଦ କରିବାକୁ ବର୍ତ୍ତମାନ ପଥ ପରିଷ୍କାର କରିଛନ୍ତି କେନ୍ଦ୍ର ସରକାର । ୧୯୭୮ ମସିହାରେ ସ୍ଥାପିତ ଏହି କେନ୍ଦ୍ରକୁ କ୍ରମାଗତ କେନ୍ଦ୍ର ସରକାର ଅବହେଳିତ ଅବସ୍ଥାରେ ପକାଇବା ପରେ ବର୍ତ୍ତମାନ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଧୀରେ ଧୀରେ ଏଠାରୁ କର୍ମଚାରୀଙ୍କୁ ଅପସାରଣ ସହିତ ଯନ୍ତ୍ରପାତି ସ୍ଥାନାନ୍ତର ଚାଲିଛି । ଏପରିକି ଏଠାରେ ଥିବା କାର୍ଯ୍ୟକ୍ରମ ବିଭାଗର ଏକମାତ୍ର କର୍ମଚାରୀ କ୍ୟାମେରାମ୍ୟାନଙ୍କୁ ୪ ଦିନ ତଳେ ଅହମ୍ମଦାବାଦକୁ ବଦଳି କରାଯାଇଛି । ଫଳରେ ବର୍ତ୍ତମାନ କାର୍ଯ୍ୟକ୍ରମ ବିଭାଗ କର୍ମଚାରୀ ଶୂନ୍ୟ ହୋଇଯାଇଛି । ଏହାଛଡା ଏଠାରେ ଥିବା ଓବି ଭ୍ୟାନକୁ ବି ଅନ୍ୟତ୍ର ସ୍ଥାନାନ୍ତର ହୋଇସାରିଛି । ସେପଟେ , ଏଠାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ନେଇ ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଦେଇଥିବା ଉତ୍ତରକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।

ଶେଷରେ ପଶ୍ଚିମ ଓଡିଶାରୁ ଲକ୍ଷ ଲକ୍ଷ କୋଟି ଟଙ୍କାର କୋଇଲା ଉତ୍ତୋଳନ କରି ଅଞ୍ଚଳବାସୀଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା ଏମସିଏଲ୍ କଂପାନିର ରାଜ୍ୟବିରୋଧୀ ଆଭିମୁଖ୍ୟ ଏବେ ଝାରସୁଗୁଡାରୁ ଆରମ୍ଭ କରି ସୁନ୍ଦରଗଡ ଏବଂ ଅନୁଗୁଳବାସୀଙ୍କ ପାଇଁ ଅସନ୍ତୋଷର କାରଣ ହୋଇଛି । ଜମି ଅଧିଗ୍ରହଣର ୪ ଦଶନ୍ଧି ପରେ ବି ବିସ୍ଥାପିତଙ୍କୁ ଥଇଥାନ ତଥା ନିଯୁକ୍ତି ଦେବାରେ ପଛଘୁଞ୍ଚା ଦେଉଥିବା ଏମ୍‌ସିଏଲ୍ ବିରୋଧରେ ଦୀର୍ଘ ଦେଢ ମାସ ଧରି ଝାରସୁଗୁଡା ଜିଲ୍ଲାର ଦର୍ଲିପାଲିବାସୀ ଧାରଣା ଦେଇଥିଲେ । ବିଜେଡିର ସମର୍ଥନରେ ଚାଲିଥିବା ଏହି ଆନ୍ଦୋଳନରେ ରାଜ୍ୟ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧାରଣା ଦୁଇଦିନ ତଳେ ପ୍ରତ୍ୟାହୃତ ହୋଇଛି । ହେଲେ ଏମସିଏଲ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତିକୁ ଭଲ୍ଲଂଘନ ସହିତ ବେଖାତିର କରି ଆସୁଥିବାରୁ ଏହା ଲୋକଙ୍କ ପାଇଁ ଅସନ୍ତୋଷର କାରଣ ହେଲାଣି । ମୋଟ୍ ଉପରେ ସବୁ କେନ୍ଦ୍ରୀୟ ସଂସ୍ଥା ରାଜ୍ୟବାସୀଙ୍କ ସ୍ବାର୍ଥବିରୋଧୀ ମନୋଭାବ ପୋଷଣ କରୁଥିଲେ ହେଁ ବିଜେପିର ସାଂସଦ ତଥା ବିଧାୟକମାନେ ପ୍ରତିବାଦ କରୁନଥିବାରୁ ଏହା ଜନ ଅସନ୍ତୋଷର କାରଣ ହୋଇଛି । ଗୋଟିଏ ପଟେ ଖୋଦ୍ କେନ୍ଦ୍ର ସରକାରଙ୍କ ସଂସ୍ଥା ଜନବିରୋଧୀ କାମ କରୁଥିବା ବେଳେ ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀମାନଙ୍କ ଜନ ଆଶୀର୍ବାଦ ଯାତ୍ରା କାହା ସ୍ୱାର୍ଥରେ  ବୋଲି ପ୍ରଶ୍ନ ଉଠିଛି ।

Comments are closed.