ଆକାଶଦୀପ, କାର୍ତ୍ତିକ ମାସରେ ଆକାଶଦୀପ ଲଗା ଯିବାର କାରଣ

ପବିତ୍ର କାର୍ତ୍ତିକ ମାସରେ ଅନେକ ମଠ, ମନ୍ଦିର ତଥା ବ୍ୟକ୍ତି ବିଶେଷ ସ୍ଥାନରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଥାଏ। ଯେପରି ପ୍ରଭାତ କୀର୍ତ୍ତନ, ଭାଗବତ, ଶ୍ରୀରାମଚରିତ ମାନସ, ଗୀତା ଓ ଅନ୍ୟାନ୍ୟ ପୁରାଣ ଆଦିର ପାରାୟଣ ଅନୁଷ୍ଠିତ ହୋଇଥାଏ। ସେହିପରି ମାସବ୍ୟାପି ଆକାଶ ଦୀପ ପ୍ରଜ୍ଵଳିତ ମଧ୍ୟ ହୋଇଥାଏ। ତେବେ କାହିଁକି ଲଗାଯାଇଥାଏ ଆକାଶ ଦୀପ ଓ ଏହାର କଣ ରହିଛି କାରଣ ଆସନ୍ତୁ ଜାଣିବା :-

ସାଧାରଣତଃ କାର୍ତ୍ତିକ ମାସରେ ବିଭିନ୍ନ ମଠ, ମନ୍ଦିର ତଥା ଧାର୍ମିକ ସ୍ଥଳରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ ହୋଇ ଭଗବଦ ଚରଣାରବିନ୍ଦକୁ ପ୍ରାପ୍ତ କରିଥାଏ। ଏହାସହ ନିଜ ଭିତରେ ଜ୍ଞାନଗ୍ନି ପ୍ରଜ୍ଵଳିତ ହୋଇଥାଏ। ଏହାସହ ପିତୃଲୋକଙ୍କୁ ମଧ୍ୟ ଆଲୋକ ଓ ଶାନ୍ତି ପ୍ରାପ୍ତହୋଇ ଅମୃତ ଲୋକକୁ ଯିବାର ପଥ ପରିଷ୍କାର ହୋଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସ ଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ।

ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ। ଏହା ପୁରା ରାତିସାରା ଜଳିବାର ବିଧି ରହିଛି।

ଏହି ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶ ଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶ ଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।

ଏଥିସହିତ ଆକାଶ ଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାରେ ଯେଉଁ ପୂର୍ବ ପୁରୁଷମାନେ ପୃଥିବୀକୁ ଆସିଥାନ୍ତି। ଆଉ ଦୀପାବଳି ଦିନ ଦିପର ଆଲୋକରେ ସେମାନେ ପିତୃ ଲୋକକୁ ଗମନ କରିଥାନ୍ତି । ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶ ଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ଲୋକ ବିଶ୍ବାସ ମଧ୍ୟ ରହିଛି।

ବହୁ ସ୍ଥାନରେ କୁମାର ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ସାରା ଏହି ଦୀପ ଲଗାଯାଇଥାଏ। କେତେକ ସ୍ଥାନରେ ଦୀପାବଳି ପରେ, ଆଉ କେତେକ ସ୍ଥାନରେ ଅଁଳା ନବମୀ ପରେ ଏହି ଦୀପ ଲଗାଯାଇଥାଏ। ଯେଉଁ ସାଂସାରିକ ଲୋକ କାର୍ଯ୍ୟ ବ୍ୟସ୍ତତା ହେଉ ଅବା କୌଣସି କାରଣ ବଶତଃ ହେଉ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶ ଦୀପ ସ୍ଥାପନ କରିଥାନ୍ତି।

ଆକାଶ ଦୀପ ଉତ୍କଲୀୟ ଜନ ଜୀବନକୁ ବହୁ ଭାବରେ ପ୍ରଭାବିତ କରି ଆସିଛି। ପ୍ରାଚୀନ୍ନ ସାହିତ୍ୟ ଓ ଭଣତିରେ ଏହି ଆକାଶ ଦୀପକୁ ନେଇ ରହିଛି ଅନେକ ରଚନା। ଗ୍ରାମାଞ୍ଚଳରେ ସାଧାରଣତଃ ବିଧବାମାନେ କାର୍ତ୍ତିକ ହବିଷ କରିବା ସହିତ ସନ୍ଧ୍ୟାରେ ଚଉରାମୂଳେ ଆକାଶ ଦୀପ ଜାଳିବା ଏକ ବିଧି ଏବଂ ପରମ୍ପରା। ଯେଉଁଥିପାଇଁ ସେମାନଙ୍କ ହବିଷ ବେଭାରରେ ଆକାଶ ଦୀପ ପାଇଁ ସ୍ୱତନ୍ତ୍ର ଅର୍ଥର ବ୍ୟବସ୍ଥା ରହିଛି। ଏହା ସେମାନଙ୍କ ପାଇଁ ଏକ ସମ୍ମାନର ପ୍ରତୀକ ବୋଲି ମନେ କରାଯାଏ।

Comments are closed.