ଆନ୍ଧ୍ର ସୀମା ଉପାନ୍ତ ଗାଁରେ ଟିକାକରଣ

ପାତ୍ରପୁର: ଯଦିଓ ଏସବୁ ଗ୍ରାମ ଓଡ଼ିଶା ସୀମା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ରହିଛି, ହେଲେ ଭୌଗୋଳିକ ଅବସ୍ଥିତି ଏତେ ଦୁର୍ଗମ ଯେ ଏହି ଉପାନ୍ତ ଗାଁମାନଙ୍କରେ ପହଞ୍ଚିବା ଏତେ ସହଜ ନୁହେଁ। ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୪୦ରୁ ୫୦ କିମି ଦୂରରେ ଅବସ୍ଥିତ ଏସବୁ ଗ୍ରାମ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପଟୁ କୌଣସିମତେ ଏଠାରେ ଅପେକ୍ଷାକୃତ ସହଜରେ ପହଞ୍ଚିହୁଏ। କିନ୍ତୁ ଓଡ଼ିଶା ପଟୁ ଯିବାକୁ ହେଲେ କେବଳ ଦୁଇଚକିଆ ଯାନରେ କଚ୍ଚା ମାଟି ରାସ୍ତାରେ ପାହାଡ଼ ଚଢ଼ି ଓ ଜଙ୍ଗଲିଆ ରାସ୍ତା ପାର କରିଯିବାକୁ ହୁଏ। ପୁଣି ଦୁଇଟି ଜଳସ୍ରୋତ ପାର କରିବାକୁ ହୁଏ ଯେଉଁଠି ସାମାନ୍ୟ ବର୍ଷାରେ ପାଣି ଉଛୁଳି ନଦୀର ରୂପ ନିଏ। ତେବେ ଏସବୁ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଓଡ଼ିଶା ସ୍ବାସ୍ଥ୍ୟ ଟିମ୍ ଦୁର୍ଗମ ଗାଁଗୁଡ଼ିକରେ ପହଞ୍ଚି ଲୋକଙ୍କୁ କୋଭିଡ୍ ଟିକାକରଣ କରାଇବାର ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଚାଲୁ ରହିଛି। ଏଥି ଅନ୍ତର୍ଗତ ଗାଁ ଗାଁରେ ପହଞ୍ଚି, ଘରକୁ ଘର ବୁଲି ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ୍ ଟିକା ପ୍ରଦାନ କରାଯାଉଛି। ସେହିପରି ଯେଉଁମାନେ କୌଣସି କାରଣରୁ ପ୍ରଥମ ଡୋଜ୍ ନେଇଥିଲେ ଦ୍ଵିତୀୟ ଡୋଜ୍ ନେଇପାରିନାହାନ୍ତି, ସେମାନଙ୍କୁ ମଧ୍ୟ ଦ୍ଵିତୀୟ ଡୋଜ୍ ଟିକା ଦିଆଯାଉଛି। ତେବେ ପାତ୍ରପୁର ବ୍ଲକ୍ ବୁରାତାଲ ଉପ- ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ କେତେକ ଗାଁର ଭୌଗୋଳିକ ସ୍ଥିତି ଏତେ ଦୁର୍ଗମ ଯେ ସେଠି ପହଞ୍ଚିବା ସାଧାରଣ ଲୋକଙ୍କ ପାଇଁ କାଠିକର। କିନ୍ତୁ ଜିଲ୍ଲାରେ ଶତପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ସ୍ବାସ୍ଥ୍ୟ ବିଭାଗର ଡାକ୍ତର ଓ ଅନ୍ୟ ଷ୍ଟାଫ୍‌ମାନେ ଏହି ଆହ୍ଵାନକୁ ଗ୍ରହଣ କରିଥିଲେ। ଦୁଇଚକିଆ ଯାନରେ ଟିକା ଓ ଅନ୍ୟ ସାମଗ୍ରୀ ଧରି ମାଟି ରାସ୍ତା ଦେଇ, ଜଳସୁଅରେ ବାଟ କାଢ଼ି ଏସବୁ ଗାଁରେ ପହଞ୍ଚିଥିଲେ। ଗୁଡ଼ିଖାଲ, ଡାବୁଥାଳି, ଗୁଡ଼ିଆପଦର, ଅବନ୍ଦିଆ, ଲାଇଡ଼ା ତାଳବାଡ଼, ଆଡୁପଥର, ବଡ଼ରମ୍ପା, ସୋରଡ଼ା ବାତ୍ରା ସାହି, ସାନ ଅଞ୍ଜଗୁଳି, ମଇଁଷିଖତ, ବଡ଼ ଅଞ୍ଜଗୁଳି, କଣ୍ଡିଗାଁ, ସଚର, ସାନଗାଁ, ବିଲୁଗାଁ, କପଡ଼ିଆ ଆଦି ଗାଁରେ ପ୍ରଥମ ଡୋଜ୍ କୋଭିଡ୍ ଟିକା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି। ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ଅନ୍ୟ ମେଡିକାଲ ଷ୍ଟାଫ୍ ମିଳିତ ଭାବେ ଉକ୍ତ ଗାଁ ଗୁଡ଼ିକୁ ଯାଇ ଲୋକଙ୍କ ନିକଟରେ ପହଞ୍ଚି କରୋନା ନେଇ ସଚେତନ ଓ ସତର୍କ କରାଇବା ସାଙ୍ଗକୁ ଟିକାକରଣ କରିଛନ୍ତି। ଏଥିପାଇଁ ଗମନଗମନଜନିତ ଯାବତୀୟ ଅସୁବିଧା, ପ୍ରତିକୂଳ ପରିବେଶକୁ ସୁଦ୍ଧା ଏମାନେ ପଛରେ ପକାଇ ଯେଉଁ କାର୍ଯ୍ୟ କରିଛନ୍ତି ବାସ୍ତବରେ ତାହା ପ୍ରଶଂସନୀୟ।

Comments are closed.