ସମ୍ବଲପୁର ଜିଲ୍ଲା ପରିଷଦ, ଅଧ୍ୟକ୍ଷା ପଦ ପାଇଁ ସବୁ ଆସନରେ ମହିଳା ଆଶାୟୀ, ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା

ସମ୍ବଲପୁର : ସୋମବାର ସକାଳ ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ସେମାନଙ୍କ ଟିକଟ ଘୋଷଣା କରିନାହାନ୍ତି। ଏପଟେ ସବୁ ଦଳରେ ଜିଲ୍ଲା ପରିଷଦ ଟିକଟ ପାଇଁ ଆଶାୟୀଙ୍କ ଲବି ଜୋରଦାର ହୋଇଛି। ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ମହିଳା (ଅଣସଂରକ୍ଷିତ) ଥିବା ବେଳେ ଜିଲ୍ଲାର ସମସ୍ତ ୧୮ଟି ଆସନରେ ମହିଳା ପ୍ରାର୍ଥୀ ଉଠିବା ନେଇ ସୁଯୋଗ ସୃଷ୍ଟି ହୋଇଛି। କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଆସନ ବ୍ୟତୀତ ଅନ୍ୟ ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଆସନରେ ବି ମହିଳା ଉଠିପାରିବେ। ତେଣୁ, ସମସ୍ତ ଆସନରେ ଅଧ୍ୟକ୍ଷା ପଦ ପାଇଁ ମହିଳା ଦାବିଦାର ଥିବା ଚର୍ଚ୍ଚ। ଜୋର ଧରିଲାଣି। ଅପରପକ୍ଷେ, ଟିକଟ ଲବି ଜୋର ହୋଇଥିବା ବେଳେ ବିଜୟ ସମ୍ଭାବନା ଦୃଷ୍ଟିରୁ ବିଜେଡିରେ ଆଶାୟୀଙ୍କ ତାଲିକା ବହୁତ ଲମ୍ବା ଥିବା ସୂଚନା ମିଳିଛି।

ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ୪ ଦିନ ତଳୁ ରାଜ୍ୟରେ ଆଚରଣ ବିଧି ବି ଲାଗୁ ହୋଇସାରିଛି। ହେଲେ ତାରିଖ ଘୋଷଣାର ଦିନକ ପୂର୍ବରୁ ପ୍ରକାଶିତ ହୋଇଥିବା ଚୂଡାନ୍ତ ସଂରକ୍ଷଣ ତାଲିକା ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ମହିଳା (ଅଣସଂରକ୍ଷିତ)ଙ୍କ ପାଇଁ ଉଦ୍ଧିଷ୍ଟ ରହିଛି। ଆଉ ଜିଲ୍ଲାର ସମସ୍ତ ୧୮ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଭରି ରହିଛି। ତେଣୁ, ଅଧ୍ୟକ୍ଷା ପଦକୁ ଟାର୍ଗେଟ କରି ଅଧିକାଂଶ ଆସନରେ ମହିଳା ପ୍ରାର୍ଥୀ ଛିଡା ହେବାର ସମ୍ଭାବନା ଦେଖାଦେଲାଣି।

ଜିଲ୍ଲାର ୧୮ଟି ଆସନ ମଧ୍ୟରୁ ୩ଟି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ପାଇଁ ୬ଟି ଏବଂ ୯ଟି ଅଣସଂରକ୍ଷିତ ରହିଛି। ସେଥିରୁ ମହିଳାଙ୍କ ପାଇଁ ଅନୁସୂଚିତ ଜାତି ବର୍ଗରେ ୨ଟି, ଅନୁସୂଚିତ ଜନଜାତି ବର୍ଗରେ ୩ଟି ଏବଂ ଅଣ ସଂରକ୍ଷିତ ୪ଟି ଆସନ ରହିଛି। ହେଲେ ଅବଶିଷ୍ଟ ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ଏବଂ ଅଣସଂରକ୍ଷିତ ଆସନରେ ମହିଳା ପ୍ରାର୍ଥୀ ଛିଡା ହେବା ପାଇଁ ସୁଯୋଗ ଖୋଲା ରହିଛି। କୁଚିଣ୍ଡା ଜୋନ୍-୧ ଅଣସଂରକ୍ଷିତ ଏବଂ ଜୋନ୍ -୨ ଅନୁସୂଚିତ ଜନଜାତି, ଜମନକିରା ଜୋନ୍-୧ ମହିଳା, ଜୋନ୍-୨ ଅନୁସୂଚିତ ଜନଜାତି (ମହିଳା), ଧନକଉଡା ଜୋନ୍-୧ ଅଣସଂରକ୍ଷିତ, ଜୋନ୍-୨ ଅନୁସୂଚିତ ଜାତି, ନାକଟିଦେଉଳ ଜୋନ୍-୧ ମହିଳା, ନାକଟିଦେଉଳ ଜୋନ୍-୨ ମହିଳା, ବାମରା ଜୋନ୍-୧ ଅନୁସୂଚିତ ଜନଜାତି, ଜୋନ୍-୨ ଅଣସଂରକ୍ଷିତ, ମାନେଶ୍ବର ଜୋନ୍-୧ ଅନୁସୂଚିତ ଜନଜାତି (ମହିଳା), ଜୋନ୍-୨ ଅନୁସୂଚିତ ଜାତି (ମହିଳା), ଯୁଯୁମୁରା ଜୋନ୍-୧ ମହିଳା, ଜୋନ୍-୨ ଅନୁସୂଚିତ ଜନଜାତି, ରେଢାଖୋଲ ଜୋନ୍-୧ ଅନୁସୂଚିତ ଜନଜାତି (ମହିଳା), ଜୋନ୍-୨ ଅଣସଂରକ୍ଷିତ, ରେଙ୍ଗାଲି ଜୋନ୍-୧ ଅନୁସୂଚିତ ଜାତି (ମହିଳା) ଏବଂ ଜୋନ୍-୨ ଅଣସଂରକ୍ଷିତ ରହିଛି।

ଅପରପକ୍ଷେ, ଅଣସଂରକ୍ଷିତ ତଥା ମହିଳା (ଅଣସଂରକ୍ଷିତ) ଥିବା ଆସନର ଟିକଟ ପାଇଁ ଅଧିକ ପ୍ରତିଦ୍ବନ୍ଦ୍ବିତା ହେଉଥିବା ଚର୍ଚ୍ଚ। ହେଉଛି। କାରଣ, ଏହି ଆସନ ଗୁଡିକରୁ ଆଶାୟୀ ଥିବା ନାରୀ ନେତ୍ରୀମାନେ ମୁଖ୍ୟତଃ ପ୍ରଭାବଶାଳୀ, ରାଜନୀତିରେ ଅଭିଜ୍ଞ ତଥା ବିତ୍ତଶାଳୀ ଥିବାରୁ ଅଧ୍ୟକ୍ଷା ଆସନକୁ ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଛି। ତେବେ, ଏହି ଟିକଟ ଲବିରେ ସବୁଠାରୁ ଅଧିକ ଆଶାୟୀଙ୍କ ସଂଖ୍ୟା ବିଜେଡିରେ ହିଁ ରହିଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ଏହାର କାରଣ ହେଲା ଯେ, ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଅନେକ ଆଶାୟୀ ବିଜେଡି ଟିକଟ ହାତେଇବାକୁ ଚେଷ୍ଟା କରୁଥିବା କୁହାଯାଉଛି। ମୋଟ୍ ଉପରେ ଆଉ ମାତ୍ର ଦିନକ ପରେ ଟିକଟ ସ୍ଥିତି ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି।

Comments are closed.