କୋରୋନାରେ ମୃତ ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ମହାନତା, ସ୍ୱାମୀଙ୍କ ଚିକିତ୍ସା ସହାୟତାରୁ ବଳକା ୪୦ ଲକ୍ଷ ଟଙ୍କା କଲେ ଦାନ କଲେ

ଭଦ୍ରକ-ଶତଚେଷ୍ଟା ସତ୍ତ୍ୱେ ସ୍ୱାମୀ କୋରୋନା ସହ ଲଢେଇରେ ହାରିଗଲେ । ହେଲେ ସ୍ୱାମୀଙ୍କ ବ୍ୟୟବହୁଳ ଇକମୋ ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତିଙ୍କଠାରୁ ପାଇଥିବା ବ ୪୦ ଲକ୍ଷ ଟଙ୍କା ଅନ୍ୟମାନଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ପତ୍ନୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳରେ ଅଭିଷେକ ମହାପାତ୍ର ଗତବର୍ଷ ମେ ୫ ତାରିଖରେ ବିବାହର ମାତ୍ର ୮ ଦିନ ପରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅଭିଷେକଙ୍କୁ ଇକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା । ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଅଭିଷେକଙ୍କ ପରିବାରକୁ ଅନେକ ବଦାନ୍ୟ ବ୍ୟକ୍ତି ଓ ସଂଗଠନ ସାହାଯ୍ୟ କରିଥିଲେ ମଧ୍ୟ ୩ ମାସ ପରେ ସେ ଆଖି ବୁଜିଥିଲେ । ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ଟଙ୍କାରୁ ବଳକା ୪୦ ଲକ୍ଷ ଟଙ୍କାକୁ ପତ୍ନୀ ମୌସୁମୀ ମହାନ୍ତି ଦାନ କରିଦେଇଛନ୍ତି । ୧୦ ଲକ୍ଷ ଟଙ୍କା ସେ ଭଦ୍ରକ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ଦେଇଥିବା ବେଳେ ଆଉ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏବଂ ଅନ୍ୟମାନଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଦାନ କରିଛନ୍ତି ମୌସୁମୀ । ମୌସୁମୀଙ୍କ ଏହି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି ।

Comments are closed.