ବଜେଟ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : କୃଷି, ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆବଂଟନ ହ୍ରାସ ନେଇ ଅସନ୍ତୋଷ

ଭୁବନେଶ୍ୱର-ବଜେଟ ୨୦୨୨ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି । ବଜେଟରେ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ ଅଭିବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଦ୍ୱାରା ବିକାଶ ମହାମାରୀ ସମୟରେ ବେଶ ସହାୟକ ହେବ । ୧୪ଟି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରସ୍ତାବିତ ଯୋଜନା ଏବଂ ଇମର୍ଜେନସୀ କ୍ରେଡିଟ ଲାଇନ ଗ୍ୟାରେଂଟି ସ୍କିମ୍‌କୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ମହିଳା ଓ ଶିଶୁ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବଜେଟ୍ ଆବଂଟନ ହ୍ରାସ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ସାମଗ୍ରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି । ଏହାର ପୁନଃବିଚାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ସମୟରେ ମନରେଗା ଆବଂଟନରେ ହ୍ରାସ ଗରିବ ଲୋକଙ୍କ ପାଇଁ ସହାୟକ ହେବ ନାହିଁ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନଏଫଏସଏ ଅଧୀନରେ ଖାଦ୍ୟ ସବସିଡ୍ ହ୍ରାସକୁ କୃଷକଙ୍କର କ୍ଷତି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାର ବି ପୁନଃବିଚାର ଉପରେ ଗୁରୁତ୍ୱାରୋପ କରିଛନ୍ତି ନବୀନ । ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇ ନାହିଁ ବୋଲି ସେ କହିଛନ୍ତି । ସେସ୍ ଓ ସରଚାର୍ଜ ବୃଦ୍ଧି ଯୋଗୁଁ ରାଜ୍ୟମାନେ ପ୍ରଭାବିଚ ହେବେ ବୋଲି ନବୀନ କହିଛନ୍ତି । ପ୍ରସ୍ତାବିତ କେନ୍ଦ୍ରୀୟ ଟିକସର ୨୦ ପ୍ରତିଶତରୁ ଅଧିକ ସେସ୍ ଓ ସରଚାର୍ଜ ଜରିଆରେ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ସଂଘୀୟ ଢାଞ୍ଚାର ପରିପନ୍ଥୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.