ହୀରାକୁଦର ୮ ଗେଟ୍ ବନ୍ଦ ପରେ ଜଳସ୍ତର ୬୨୨ ଫୁଟ ମୁହାଁ

ସମ୍ବଲପୁର: ହୀରାକୁଦରୁ ୩ ଦିନ ଧରି ୩୪ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ଆଜି ମଧ୍ୟାହ୍ନରେ ୮ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨୬ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ସେପଟେ ୮ ଗେଟ ବନ୍ଦ ହେବା ଦ୍ବାରା ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୬୨୧.୫୪ ଫୁଟରେ ପହଞ୍ଚିଛି। ସେପଟେ ହୀରାକୁଦକୁ ଜଳପ୍ରବେଶର ମାତ୍ରା ବି ୯ ଲକ୍ଷ ୮୫ ହଜାର ୬୦ କ୍ୟୁସେକକୁ ବୃଦ୍ଧି ପାଇଲାଣି। ଆଉ ୪ ଲକ୍ଷ ୪୫ ହଜାର ୯୨୪ କ୍ୟୁସେକ ନିଷ୍କାସିତ ହେଉଛି। ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ଯରେ ଉପରମୁଣ୍ଡରେ ୬୭.୬୪ ମିମି ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୭୩.୭୪ ମିମି ବର୍ଷା ରେକର୍ଡ କରାଯାଇଛି। ଫଳରେ ଜଳଭଣ୍ଡାରକୁ ଆସନ୍ତାକାଲି ସୁଦ୍ଧା ଅଧିକ ପାଣି ଆସିବାର ଆଶଙ୍କା ରହିଛି। ହେଲେ ତଳମୁଣ୍ଡରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉଦବେଗଜନକ ଥିବାରୁ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିବା ପରିବର୍ତ୍ତେ ଗେଟ୍ ସଂଖ୍ୟା କମ୍ କରିଛନ୍ତି। ସେହିପରି ଗେଟ୍ ସଂଖ୍ୟା କମିବା ସହ ବର୍ଷା ଥମିବାରୁ ସମ୍ବଲପୁର ସହରର ବନ୍ୟା ପରିସ୍ଥିତିରେ ସୁଧାର ଆସିଛି।

Comments are closed.