ସ୍ମାର୍ଟ ପୀଢି ପାଇଁ ସ୍ମାର୍ଟ ଶିକ୍ଷା : ହିଞ୍ଜିଳି ପ୍ରୟୋଗଶାଳାରୁ ଶିକ୍ଷା ସାଧନର ‘ନବୀନିକରଣ’

ଆଉ ରହିବନି କାନ୍ଥରେ କଳାପଟା। ତାର ସ୍ଥାନ ନେବ ଧଳା ବୋର୍ଡ ଯେଉଁଥିରେ ଅଡିଓ – ଭିଜୁଆଲ ମାଧ୍ୟମରେ ପାଠପଢ଼ା ସହ ଆବଶ୍ୟକ ସ୍ଥଳେ ସ୍ବତନ୍ତ୍ର କଲମରେ ଲେଖିହେବ। ପୁରୁଣାକାଳିଆ ଟିଣ ଛପର ଘର ବଦଳରେ ପିଲାଏ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଶ୍ରେଣୀକକ୍ଷରେ ବସି ଆରାମଦାୟକ ଭାବେ ପଢ଼ିବେ। ପିଲାଙ୍କୁ ଦୁନିଆଯାକର ଜ୍ଞାନ ଆହରଣ ସୁବିଧା ଯୋଗାଇଦେବ ସ୍ମାର୍ଟ ଇ – ଲାଇବ୍ରେରୀ ଯେଉଁଠି ପିଲାଏ ପଢ଼ା ବହି ଓ ଅନ୍ୟ ପୁସ୍ତକ ତଥା ପତ୍ରିକା ସହ ଇଣ୍ଟରନେଟ୍ ସଂଯୋଗ ଥିବା କମ୍ପ୍ୟୁଟରରୁ ନିଜ ଆବଶ୍ୟକତା ମୁତାବକ ଶିକ୍ଷା ଗ୍ରହଣ କରିପାରିବେ। ଅନ୍‌ଲାଇନ୍ ପାଠପଢ଼ା ଅଧିକ ସୁବିଧାଜନକ ହେବ ଯେଉଁଠି ପିଲାଏ ମଧୁ ଆପ୍, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ଆଦି ବ୍ୟବହାର କରି ଯୁଗପଯୋଗୀ ଜ୍ଞାନକୌଶଳ ହାତ ପାଆନ୍ତାରେ ପାଇପାରିବେ। ଏହାବାଦେ ଅତ୍ୟାଧୁନିକ ବିଜ୍ଞାନାଗାର, ବିଶୁଦ୍ଧ ପାନୀୟ ଜଳ, ଭଳିକି ଭଳି କ୍ରୀଡ଼ାର ସୁବିଧା, ଉନ୍ନତ ଶୌଚାଳୟ, ସବୁଜିମାରେ ଭରା କ୍ୟାମ୍ପସ୍ ଆଦି ଏବେ ଉଚ୍ଚବିଦ୍ୟାଳୟର ରୂପରଙ୍ଗ ପରିବର୍ତ୍ତନର ପ୍ରତୀକ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଆଭିମୁଖ୍ୟ ଯେ- ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏମିତି ଶିକ୍ଷା ମିଳୁ ଯାହାଦ୍ବାରା କି ସେମାନେ ନିଜକୁ ଏଭଳି ଦକ୍ଷ ଭାବେ ଗଢ଼ି ତୋଳିବେ ଯେ ଭବିଷ୍ୟତର ସବୁ ଆହ୍ବାନର ସମ୍ମୁଖୀନ ହେବାକୁ ସେମାନେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ଓଡ଼ିଶାର ଛାତ୍ରଛାତ୍ରୀଗଣ ନିଜକୁ ଆଗାମୀ ଦିନର ସୁନାଗରିକ ରୂପେ ଗଢ଼ି ତୋଳିବେ ଏବଂ ଏ ଜାତିର, ଏ ରାଜ୍ୟର ପ୍ରଗତିରେ ସେମାନଙ୍କ ଯଥାଯୋଗ୍ୟ ଭୂମିକା ନିର୍ବାହ କରିପାରିବେ। ହେଲେ ସେଥିପାଇଁ ଏବେଠାରୁ ସେମାନଙ୍କୁ ଉପଯୁକ୍ତ ପରିବେଶରେ ଉଚିତ ଶିକ୍ଷା ପ୍ରଦାନ କରିବାକୁ ହେବ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀ ୫-ଟି ଅଭିଯାନ ଅନ୍ତର୍ଗତ ଉଚ୍ଚବିଦ୍ୟାଳୟର ରୂପାନ୍ତରୀକରଣକୁ ତ୍ବରାନ୍ବିତ କରିବାରେ ଲାଗିଛନ୍ତି। ବଦଳିବାରେ ଲାଗିଛି ହାଇସ୍କୁଲର ଚେହେରା, ପରିବର୍ତ୍ତିତ ହୋଇଚାଲିଛି କ୍ୟାମ୍ପସର ନକ୍ସା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ଓ ଚେତନା କେତେ ସୁଦୂରପ୍ରସାରୀ ତାହାର ଆଉ ଏକ ନଜିର ଏହି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମର ବିଧିବଦ୍ଧ ଉଦ୍‌ଘାଟନ ପର୍ବ ଅବସରରେ ଦେଖିବାକୁ ମିଳିବ। ଆସନ୍ତା ୨୧ ତାରିଖରୁ ପର୍ଯ୍ୟାୟକ୍ରମେ ଦିନକୁ ୧୦ଟି ଲେଖାଏଁ ସ୍ମାର୍ଟ ସ୍କୁଲକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ୨୧, ୨୩, ୨୬, ୨୮ ଓ ୩୦ ତାରିଖ ଧାର୍ଯ୍ୟ ହୋଇଛି। ହେଲେ ତାଙ୍କ ନିର୍ବାଚନମଣ୍ଡଳୀରେ ହେଉଥିବା ଏହି ଉଚ୍ଚବିଦ୍ୟାଳୟ ରୂପାନ୍ତରୀକରଣ ସାରା ରାଜ୍ୟରେ କିଭଳି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରିବ, ସେହି ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ଏକ ନିଆରା ପଦକ୍ଷେପ ନେଇଛନ୍ତି। ଏହିସବୁ ରୂପାନ୍ତରୀକରଣ ସ୍ମାର୍ଟ ସ୍କୁଲ ଉଦ୍‌ଘାଟନରେ ଯୋଗଦେବେ ରାଜ୍ୟର ଶତାଧିକ ବିଧାୟକ। ପରବର୍ତ୍ତୀ ସମୟରେ ସେମାନେ ନିଜ ନିଜ ଅଞ୍ଚଳରେ ଏଭଳି ସ୍ମାର୍ଟ ସ୍କୁଲ ପ୍ରକ୍ରିୟାକୁ ଉଚିତ ଭାବେ ତ୍ବରାନ୍ବିତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନକୁ ଜୋର ଦେବେ। ଉଲ୍ଲେଖଯୋଗ୍ୟ ଯେ- ଶେରଗଡ଼ ବ୍ଲକର ୨୭ଟି ଓ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୌରପାଳିକାର ୨୩ଟି ଉଚ୍ଚ ବିଦ୍ୟାଳୟ ରାଜ୍ୟରେ ରୋଲ୍ ମଡେଲ୍ ହେବାକୁ ଯାଉଛି। ଏଥିରେ ଉଭୟ ବ୍ଲକର ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ରହିଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ଉଭୟ ବ୍ଲକର ବିଭିନ୍ନ ସ୍କୁଲକୁ ମାରାଥନ୍ ଗସ୍ତ କରି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ କମିଟିମାନଙ୍କ ସହ ଆଲୋଚନା କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ପାଠପଢା ଯେପରି ସୁରୁଖୁରୁରେ ଚାଲିବ ସେଥିପ୍ରତି ଧ୍ୟାନ ରଖିବେ ବୋଲି ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ସେ।

ପ୍ରତିଟି ବିଦ୍ୟାଳୟକୁ ୨ ଜଣ ଲେଖାଏଁ, ପ୍ରତିଦିନ ୧୦ଟି ସ୍କୁଲକୁ ୨୦ ଜଣ ହିସାବରେ ବିଧାୟକ ଓ ମନ୍ତ୍ରୀଗଣ ପରିଦର୍ଶନ କରିବେ। ସେମାନେ ପହଞ୍ଚିଲା ବେଳକୁ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ ସୂଚନା ଫଳକରେ ରହିଥିବ କିଛି ଶିକ୍ଷଣୀୟ ଲେଖା କିମ୍ବା ଚିତ୍ର। ସ୍ଵାଗତ ସଙ୍ଗୀତ ଓ ଭବ୍ୟ ଅଭ୍ୟର୍ଥନାରେ ଆଗନ୍ତୁକଙ୍କୁ କ୍ୟାମ୍ପସକୁ ପାଛୋଟି ନିଆଯିବ। ୫-ଟି ସଚିବଙ୍କ ତତ୍ତ୍ଵାବଧାନରେ ଏଥିନିମନ୍ତେ କାର୍ଯ୍ୟସୂଚୀ ପ୍ରସ୍ତୁତି ସହ କେଉଁ ବିଧାୟକ କେଉଁ ଉଚ୍ଚ ବିଦ୍ୟାଳୟ ଯିବେ ତାହାର ତାଲିକା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ବିଧାୟକ ନିଜ ସ୍ଥିରୀକୃତ ବିଦ୍ୟାଳୟର ପରିବେଶ, ସ୍ମାର୍ଟ ଶ୍ରେଣୀ, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍, ବିଦ୍ୟାଳୟର ସାଜସଜ୍ଜା ଦେଖିବା ସହ ନିଜ ନିର୍ବାଚନମଣ୍ଡଳୀରେ ଏପରି ବିଦ୍ୟାଳୟ ତିଆରି କରିବାରେ ସହାୟକ ହେବେ। ସ୍ମାର୍ଟ କ୍ଲାସ୍ ରୂପାନ୍ତରୀକରଣ ରାଜ୍ୟରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିବାରୁ ବିଧାୟକମାନେ ଏଥିରୁ ଅଭିଜ୍ଞତା ନେଇ ନିଜ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ କରାଇବାକୁ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ। ଆଉ ଏକ କଥା ମଧ୍ୟ ଉଲ୍ଲେଖ କରିବା ଉଚିତ ହେବ ଯେ ଏହି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରକ୍ରିୟାରେ ଗୋଷ୍ଠୀଗତ ସମ୍ପୃକ୍ତିକୁ ମିଳିଛି ଯଥେଷ୍ଟ ଗୁରୁତ୍ଵ। ଏହାର ସଂପୂର୍ଣ୍ଣ ତଦାରଖ କରୁଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୄତା କୁଲାଙ୍ଗେ । ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚାୟତିରାଜ ପ୍ରତିନିଧି ଓ ସାଧାରଣ ଗ୍ରାମବାସୀ ତଥା ଅଞ୍ଚଳବାସୀ ଏହି ପ୍ରକ୍ରିୟାରେ ଯୋଡ଼ି ହୋଇ ରହି ଆସିଛନ୍ତି। ଯୋଜନାରୁ ଆରମ୍ଭ କରି କାର୍ଯ୍ୟକାରିତା ପର୍ଯ୍ୟନ୍ତ ବିଭିନ୍ନ ଗୋଷ୍ଠୀର ସହଭାଗୀତା କେବଳ ଯେ କାମକୁ ଉଚିତ ଢଙ୍ଗରେ ସମ୍ପନ୍ନ କରାଇବାରେ ସହାୟକ ହୋଇଛି ତା ନୁହେଁ, ଏଥିଯୋଗୁଁ ରେକର୍ଡ ସମୟରେ ଓ ଅତ୍ୟନ୍ତ ସ୍ଵଚ୍ଛ ତଥା ପାରଦର୍ଶୀ ଭାବେ ମଧ୍ୟ କାମ ଶେଷ ହୋଇପାରିଛି।

କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ ସମେତ ବ୍ରହ୍ମପୁର ବୁଲିବେ ଏହି ବିଧାୟକଗଣ। ତାମ୍ପରା, ଗୋପାଳପୁର, ତାରାତାରିଣୀ ମନ୍ଦିର ସହ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲିବା କର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହୋଇଥିବା ବିଭିନ୍ନ ପାର୍କ, ପୋଖରୀ ଉନ୍ନତିକରଣ, ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କ ପାଇଁ ପକ୍କା ଘର, ଆଧୁନିକ ଡାକ୍ତରଖାନା, ଗ୍ରାମ୍ୟ ପକ୍କା ରାସ୍ତା, ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ଖତ ଓ ଏହାର ପରିଚାଳନା ଆଦି ବୁଲି ଦେଖିବେ। ଏଥିପାଇଁ ବ୍ରହ୍ମପୁର ରାମଲିଙ୍ଗେଶ୍ଵର ପ୍ରମୋଦ ଉଦ୍ୟାନ ଏବଂ ସ୍ପୋର୍ଟସ୍ ଏରେନା ସମେତ ସମସ୍ତ ଜାଗାକୁ ସାଜସଜ୍ଜା କରାଯାଉଛି। ୫-ଟି ଅଭିଯାନର ପ୍ରତ୍ୟକ୍ଷଦର୍ଶୀ ସାଜିବେ ବିଧାୟକଗଣ ଏବଂ ଗଞ୍ଜାମ ଜିଲ୍ଲା ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ଏହାର ଉନ୍ନତ, ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରିତାର ବାର୍ତ୍ତା ସାରା ରାଜ୍ୟରେ ପ୍ରଚାର ପ୍ରସାର ହେବ। ସାରା ରାଜ୍ୟର ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଶିକ୍ଷା ପାଇଁ ମାର୍ଗଦର୍ଶକ ସାଜିବ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ହାଇସ୍କୁଲ ସମୂହ।

Comments are closed.