ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନବୀନଙ୍କ ନୂଆବର୍ଷ ଭେଟି: ଏଣିକି ଡାକ୍ତରୀ ଏବଂ ଇଞ୍ଜିନିୟରିଂ ପଢ଼ାରେ ରହିବ ସଂରକ୍ଷଣ

ଭୁବନେଶ୍ବର: ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବ ଭାରତୀୟ ସ୍ତରରେ NEET ଏବଂ JEE ପରି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ଓଡିଶାର ସରକାରୀ ହାଇସ୍କୁଲ ଓ କଲେଜ ମାନଙ୍କର ମେଧାବୀ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଅଛି । ଏହା ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ଅଭାବ ଯୋଗୁ ନୁହେଁ , ବରଂ ଗ୍ରାମାଞ୍ଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉ ନଥିବାରୁ ଏହିସବୁ ପ୍ରତିଯୋଗୀତାମୂଳକ ପରୀକ୍ଷା ଗୁଡିକରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ।

ଏହିସବୁ ଏକକ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସ୍ବତନ୍ତ୍ର ତାଲିମର ଆବଶ୍ୟକତା ରହିଛି , ଯାହା କି କେବଳ କୋଚିଂ ସେଣ୍ଟର ଏବଂ ଅନ୍‌ଲାଇନ କୋଚିଂ କ୍ଲାସ ଜରିଆରେ ହିଁ ମିଳିଥାଏ । ଯେହେତୁ , ଏହିଭଳି କୋଚିଂ ସେଣ୍ଟର ଗୁଡ଼ିକ ମୁଖ୍ୟତଃ ସହରାଞ୍ଚଳରେ ଖୋଲିଛି ଏବଂ ଏଠାରେ ତାଲିମ ନେବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି , ତେଣୁ ଗ୍ରାମାଞ୍ଚଳ ତଥା ସରକାରୀ ସ୍କୁଲର ପିଲାମାନେ ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଫଳତଃ ସେମାନେ ପ୍ରବେଶିକା ପରୀକ୍ଷା ଗୁଡିକରେ ସେମାନଙ୍କ ଦକ୍ଷତାର ସର୍ବୋତ୍ତମ ପ୍ରଦର୍ଶନ କରିପାରୁନାହାନ୍ତି । ତେଣୁ ଓଡିଶାର ସଂଖ୍ୟାଧିକ ପିଲାମାନଙ୍କ ପାଇଁ ଏହା ଏକ ଅସମତାପୂର୍ଣ୍ଣ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ପରିଣତ ହୋଇଯାଇଛି ।

ଓଡିଶାର ସରକାରୀ ସ୍କୁଲମାନଙ୍କରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ଏବଂ ଏହି ଅସମତାକୁ ସଂଶୋଧନ କରି ଡାକ୍ତର ଓ ଇଞ୍ଜିନିୟର ହେବା ପାଇଁ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଓଡିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜ ମାନଙ୍କରେ ସରକାରୀ ହାଇସ୍କୁଲ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତ୍ତ ନେବା ସହିତ ଏହାକୁ ଆଗାମୀ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ କରାଯିବା ପାଇଁ ଆଜି ଏହି ସଂକଳ୍ପ ଆଗତ କରିଛନ୍ତି ।

ଏହି ସଂକଳ୍ପ ଆଜିର କ୍ୟାବିନେଟ୍‌ରେ ପାରିତ ହେବା ପରେ ଏହାକୁ ଚୂଡାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ କରାଯିବ । ଏହି କମିଟିରେ ଖ୍ୟାତିସଂପନ୍ନ ଶିକ୍ଷାବିତ୍ ମାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ । ଏହି କମିଟି ୩ ମାସ ମଧ୍ୟରେ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ଯାହା ଫଳରେ କି , କମିଟିର ସୁପାରିଶକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯାଇପାରିବ ।

Comments are closed.