ଆରଆରଆର’କୁ ପୁଣି ବଡ଼ ସଫଳତା, ଶ୍ରେଷ୍ଠ ବିଦେଶୀ ଫିଲ୍ମ ଓ ‘ନାଟୁ ନାଟୁ’ ଗୀତ ପାଇଁ ମିଳିଲା କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ

ନୂଆଦିଲ୍ଲୀ: ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ପରେ ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’କୁ ପୁଣି ଏକ ବଡ଼ ସଫଳତା । ‘ନାଟୁ ନାଟୁ’ ଗୀତ ପାଇଁ ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ଜିତିବା ପରେ ଏବେ ‘ଆରଆରଆର’କୁ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡରେ ମଧ୍ୟ ଦୁଇଟି ପୁରସ୍କାର ମିଳିଛି । କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡରେ ‘ଆରଆରଆର’ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଓ ‘ନାଟୁ ନାଟୁ’ ଟ୍ରାକ୍ ପାଇଁ ଶ୍ରେଷ୍ଠ ଗୀତ ବର୍ଗରେ ପୁରସ୍କାର ଜିତିଛି ।

କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ଏବଂ ଟିମ୍ ‘ଆରଆରଆର’କୁ ଅଭିନନ୍ଦନ ମଧ୍ୟ ଜଣାଇଛି | ଏହି ଟ୍ୱିଟର ହ୍ୟାଣ୍ଡେଲରେ ରାଜାମୌଲିଙ୍କର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଭିଡିଓରେ ରାଜାମୌଲି ଟ୍ରଫିକୁ ପ୍ରଦର୍ଶନ କରିବା ସହ ଖୁସିରେ ଚିତ୍କାର କରୁଥିବା ଦେଖିବାକୁ ମିଳୁଛି ।

‘ଆରଆରଆର’ ସହ ଶ୍ରେଷ୍ଠ ବିଦେଶୀ ଫିଲ୍ମ ପୁରସ୍କାର ଦୌଡ଼ରେ ‘ଆର୍ଜେଣ୍ଟିନା ୧୯୮୫’, ‘ବାର୍ଡୋ, ଓ ‘ଅଲ୍ କ୍ବାଇଟ୍ ଅନ୍ ଓ୍ବେଷ୍ଟର୍ଣ୍ଣ ଫ୍ରଣ୍ଟ’ ଭଳି ଚଳଚ୍ଚିତ୍ର ରହିଥିଲେ । କିନ୍ତୁ ଏହି ସମସ୍ତ ଚଳଚ୍ଚିତ୍ରକୁ ପଛରେ ପକାଇ ‘ଆରଆରଆର’ ଏହି ପୁରସ୍କାର ହାତେଇଥିଲା । ଗୋଲଡେନ୍ ଗ୍ଲୋବ୍ସ ପରେ ‘ନାଟୁ ନାଟୁ’ ଶ୍ରେଷ୍ଠ ଗୀତ ଭାବେ କ୍ରିଟିକ୍ସ ଚଏସ୍ ଆଓ୍ବାର୍ଡ ମଧ୍ୟ ଜିତିଛି ।

‘ନାଟୁ ନାଟୁ’ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ଓସ୍କାର ପୁରସ୍କାର ପାଇଁ ମଧ୍ୟ ସର୍ଟଲିଷ୍ଟ ହୋଇଛି | ଓସ୍କାର ପୁରସ୍କାର ଉତ୍ସବ ଚଳିତ ବର୍ଷ ମାର୍ଚ୍ଚ ୧୨ରେ ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହେବ ।

୨୫ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିଥିବା ‘ଆରଆରଆର’ ଦୁଇ କୋମରାମ ଭୀମ ଏବଂ ଆଲୁରୀ ସୀତାରାମ ରାଜୁଙ୍କ ଉପରେ ଆଧାରିତ | ପ୍ରାୟ ୫୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମ ସାରା ବିଶ୍ୱରେ ୧୨୦୦ କୋଟି ଟଙ୍କା ଆୟ କରିଥିଲା। ଏହି ଫିଲ୍ମରେ ଜୁନିଅର ଏନଟିଆର ଓ ରାମ ଚରଣ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ‘ଆରଆରଆର’ରେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟଙ୍କୁ ମଧ୍ୟ ସ୍ବତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଥିଲା |

Comments are closed.