ବ୍ରିଜ୍ ତଳକୁ ଖସିଲା କାର୍, ବିଜେପି ବିଧାୟକଙ୍କ ପୁଅ ସମେତ ୭ ମେଡ଼ିକାଲ୍ ଛାତ୍ର ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଓ୍ବାର୍ଦ୍ଧା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ଓ୍ବାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା | ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ କାରରେ ଥିବା ଲୋକେ ସବୁ ଛାତ୍ର ଥିଲେ ଏବଂ ସେମାନେ ଓ୍ବାର୍ଦ୍ଧାକୁ ଯାଉଥିଲେ। ବିଧାୟକଙ୍କ ପୁଅ ଅଭିଷେକଙ୍କ ସମେତ ସବୁ ଛାତ୍ର ସାଙ୍ଗଭିର ଏକ ମେଡିକାଲ କଲେଜରେ ପଢୁଥିଲେ। ସେମାନେ ଓ୍ବାର୍ଦ୍ଧାକୁ ଯାଉଥିବାବେଳେ କାରଟି ନିୟନ୍ତ୍ରଣ ହରାଇ ଏକ ବ୍ରିଜ ତଳକୁ ଖସିପଡ଼ିଥିଲା।

ଏକ ବଣୁଆ ଘୁଷୁରୀ କାର ସାମ୍ନାକୁ ଆସିଥିବାରୁ ତାକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର କାର ଉପରେ ନିୟନ୍ତ୍ରଣ ହରାଇଲା | ମୃତ ଛାତ୍ରଙ୍କ ପରୀକ୍ଷା ନିକଟରେ ଶେଷ ହୋଇଥିଲା ଏବଂ ଏହା ପରେ ସେମାନେ ଏକ ପାର୍ଟିରୁ ଫେରୁଥିଲେ | ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହା ବ୍ୟତୀତ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ପୋଲିସ କହିଛି ଯେ ଛାତ୍ରମାନେ ଏକ ବାର୍ଥ ଡେ ପାର୍ଟିରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.