ପୁଣି କେନ୍ଦ୍ରକୁ ଘେରିଲେ ସ୍ବାମୀ – ଚୀନ୍ ଆମକୁ ଆକ୍ରମଣ କରିସାରିଛି, ସତ ସ୍ବୀକାର କରିବାକୁ ମୋଦି ସରକାରର ସାହସ ଅଛି ତ ?’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚୀନ୍ ପ୍ରସଙ୍ଗରେ ସରକାରଙ୍କ ନୀରବତା ଉପରେ ସ୍ବାମୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଚୀନ୍ ଆମ ଜମିକୁ କବଜା କରିଛି, ଏହି ସତ୍ୟକୁ ମାନିବାକୁ ମୋଦି ସରକାରଙ୍କ ସାହସ ଅଛି ତ ? ଏହାପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ସ୍ବାମୀ ଗୁରୁବାର ମୋଦି ସରକାରର ରିପୋର୍ଟ କାର୍ଡ ସୋସିଆଲ ମିଡିଆରେ ଜାରି କରିଥିଲେ । ମୋଦି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ବୋଲି ସ୍ବାମୀ କହିଥିଲେ ।

ସ୍ବାମୀ ଟ୍ୱିଟ୍ କରି କହିଛନ୍ତି ଯେ ଚୀନ୍ ଆମ ଉପରେ ଆକ୍ରମଣ କରିସାରିଛି । ଆମର ହଜାର ହଜାର ବର୍ଗ କିଲୋମିଟର ଦଖଲ କରି ଗ୍ରାମ, ସଡ଼କ ଏବଂ ସିସିଟିଭି ପୋଷ୍ଟ ନିର୍ମାଣ କରୁଛି। କିନ୍ତୁ ଆମ ପାଖରେ ଖବର ନାହିଁ | ଆମେ କହୁଛୁ ‘କେହି ଆସି ନାହାଁନ୍ତି… ଏହି ସତ୍ୟକୁ ସ୍ବୀକାର କରିବାକୁ ମୋଦି ସରକାରଙ୍କର କଣ ସାହସ ନାହିଁ? ନା ୧୯୬୨ ଅପେକ୍ଷା ଚୀନ୍ ଠାରୁ ଦେଶକୁ ଅଧିକ ଅପମାନ ଭୋଗିବାକୁ ପଡ଼ିବ?

ସ୍ୱାମୀ ଏହା ପୂର୍ବରୁ ମୋଦି ସରକାରର ରିପୋର୍ଟ କାର୍ଡ ପ୍ରକାଶ କରିଥିଲେ । ସେ ଟ୍ବିଟ୍ କରି କହିଥିଲେ, ‘ମୋଦି ସରକାରଙ୍କ ରିପୋର୍ଟ କାର୍ଡ: ଅର୍ଥନୀତିରେ – ବିଫଳ, ସୀମା ସୁରକ୍ଷା – ବିଫଳ, ବୈଦେଶିକ ନୀତି – ଆଫଗାନିସ୍ତାନରେ ବିଫଳତା, ଜାତୀୟ ସୁରକ୍ଷା – ପେଗାସସ୍ ପ୍ରସଙ୍ଗ, ଆଭ୍ୟନ୍ତରୀଣ ସୁରକ୍ଷା – କାଶ୍ମୀର ପ୍ରସଙ୍ଗ .. କିଏ ଦାୟୀ? ‘

ଗତ ବର୍ଷ ଗଲଓ୍ଵାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ସର୍ବଦଳୀୟ ବୈଠକ କରିଥିଲେ। ସର୍ବଦଳୀୟ ବୈଠକ ପରେ ମୋଦି କହିଥିଲେ ଯେ ଆମ ସୀମାରେ କେହି ପ୍ରବେଶ କରି ନାହାଁନ୍ତି କିମ୍ବା ଆମର ପୋଷ୍ଟ ଅନ୍ୟ କାହାର କବଜାରେ ନାହିଁ।

Comments are closed.