କେନ୍ଦ୍ରର ନୀତି ବିରୋଧରେ ୨୮, ୨୯ରେ ଭାରତ ବନ୍ଦ ଡାକରା ଦେଲେ ଟ୍ରେଡ ୟୁନିୟନ, ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଟ୍ରେଡ ୟୁନିଅନ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି। ବ୍ୟାଙ୍କ ୟୁନିଅନମାନେ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ଓ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ଏବଂ ବ୍ୟାଙ୍କିଂ ଆଇନ ୨୦୨୧ ବିରୋଧରେ ସେମାନେ ଏହି ବନ୍ଦ ଡାକରା ଦେଇଛନ୍ତି। ମାର୍ଚ୍ଚ ୨୮ ରୁ ୨୯ ପର୍ଯ୍ୟନ୍ତ ବ୍ୟାଙ୍କ୍ ସେବା ପ୍ରଭାବିତ ହେବ ବୋଲି ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କୁ ସୂଚନା ଦେଇଛି। ସେଣ୍ଟ୍ରାଲ ଟ୍ରେଡ ୟୁନିଅନର ମିଳିତ ଫୋରମ ସୋମବାର ଏବଂ ମଙ୍ଗଳବାର ଦିନ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟକୁ ସମର୍ଥନ କରିଛି। ମାର୍ଚ୍ଚ ୨୨ ରେ ଏହି କର୍ମଚାରୀ ସଂଘର ଏକ ବୈଠକ ହୋଇଥିଲା | ସମସ୍ତ ରାଜ୍ୟରେ ସେମାନଙ୍କର ପ୍ରସ୍ତୁତି ଉପରେ ନଜର ରଖିବା ପରେ ଦୁଇ ଦିନ ପାଇଁ ଧର୍ମଘଟ ଘୋଷଣା କରାଯାଇଛି।

କର୍ମଚାରୀ ସଂଗଠନ କହିଛନ୍ତି ଯେ କର୍ମଚାରୀ ବିରୋଧୀ, କୃଷକ ବିରୋଧୀ, ଲୋକ ବିରୋଧୀ ତଥା କେନ୍ଦ୍ର ସରକାରଙ୍କ ଦେଶ ବିରୋଧୀ ନୀତି ବିରୋଧରେ ସେମାନେ ଏହି ଧର୍ମଘଟ କରୁଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନମାନେ ବିରୋଧ ପ୍ରଦର୍ଶନ କରିବେ। ୨୦୨୧ ବଜେଟରେ ସରକାର ଆଉ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ଘୋଷଣା କରିଥିଲେ।

Comments are closed.