କାବୁଲ ବିମାନବନ୍ଦରର ତିନୋଟି ଫାଟକର ନିୟନ୍ତ୍ରଣ ତାଲିବାନକୁ ହସ୍ତାନ୍ତର କଲା ଆମେରିକା

କାବୁଲ: ଆମେରିକା ଏବଂ ସ‌ହଯୋଗୀ ରାଷ୍ଟ୍ର କାବୁଲ ବିମାନବନ୍ଦରର ତିନୋଟି ଫାଟକର ନିୟନ୍ତ୍ରଣ ତାଲିବାନକୁ ହସ୍ତାନ୍ତର କରିଛନ୍ତି। ଜଣେ ଅଧିକାରୀ ରବିବାର ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏବେ ବିମାନବନ୍ଦରରେ ରାଡାର୍ ସିଷ୍ଟମ୍ ଥିବା ଏକ ଛୋଟ ଅଂଶ ହିଁ ଆମେରିକା ସୈନ୍ୟମାନଙ୍କ ନିୟନ୍ତ୍ରଣରେ ରହିଛି।

ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ତାଲିବାନ ବିମାନବନ୍ଦରର ମୁଖ୍ୟ ଫାଟକରେ ଏକ ସ୍ୱତନ୍ତ୍ର ଫୋର୍ସ ୟୁନିଟ୍ ନିୟୋଜିତ କରିଥିଲା। ବିମାନ ବନ୍ଦରର ସୁରକ୍ଷା ଏବଂ ବୈଷୟିକ ଦାୟିତ୍ୱ ତୁଲାଇବାକୁ ଆମେ ପ୍ରସ୍ତୁତ ବୋଲି ତାଲିବାନର ଜଣେ ମୁଖପାତ୍ର କହିଛନ୍ତି। ଅଗଷ୍ଟ ୨୬ରେ ଏୟାରପୋର୍ଟର ପୂର୍ବ ଫାଟକରେ ଆଇଏସ୍ ଦ୍ଵାରା ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ୧୩ ଆମେରିକୀୟ ସୈନିକଙ୍କ ସମେତ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହି ଘଟଣାର ତିନି ଦିନ ପରେ ବିମାନ ବନ୍ଦର ନିୟନ୍ତ୍ରଣକୁ ତାଲିବାନକୁ ହସ୍ତାନ୍ତର କରିଛି ଆମେରିକା ସେନା।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଆମେରିକୀୟ ସୈନିକ ଓ ନାଗରିକ ଆଫଗାନିସ୍ତାନ ଛାଡ଼ିବେ ବୋଲି ଆଶା କରାଯାଉଛି।

ସେପଟେ ତାଲିବାନ କାବୁଲ ବାସିନ୍ଦାଙ୍କୁ ସରକାରୀ ଗାଡି, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଫେରାଇବାକୁ ନିର୍ଦ୍ଦେଶ ଦେଇଛି। କାବୁଲରେ ରହୁଥିବା ସମସ୍ତ ଲୋକଙ୍କୁ ‘ଯାନବାହନ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କିମ୍ବା ଅନ୍ୟାନ୍ୟ ଜିନିଷ ସମେତ ସମସ୍ତ ସରକାରୀ ସମ୍ପତ୍ତି ଫେରସ୍ତ କରିବାକୁ’ କୁହାଯାଇଛି ବୋଲି ତାଲିବାନର ଜଣେ ଅଧିକାରୀ କହିଛନ୍ତି।

Comments are closed.