ଅଙ୍ଗାଡିଆ ସ୍କିମ୍ : ଗିରଫ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର – ରାଜଧାନୀର ଓୟୋ ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାରେ ଗିରଫ ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ସଂପୃକ୍ତ ଜଣେ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି । ଜଣେ ଏସଆଇ ମଧ୍ୟ ତଦନ୍ତ ପରିସରଭୁକ୍ତ ଥିବା ସୂଚନା ମିଳିଛି ।

ତାଙ୍କୁ ସ୍ୱତନ୍ତ୍ର ସ୍କ୍ୱାଡ୍ ରୁ ରିଜର୍ଭକୁ ପଠାଯାଇଛି । ଜଣେ ଅତିରିକ୍ତ ଡିସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଗତ ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା ଅଂଚଳର ଏକ ଓୟୋ ହୋଟେଲରେ ଆଇପିଏଲ ବେଟିଂ ନେଇ କମିଶନରେଟ ପୋଲିସ ଚଢାଇ କରିଥିଲା ।

ଅଢେଇ ଲକ୍ଷ ଟଙ୍କାର ୩୧ଟି ବଣ୍ଡଲ ପୋଲିସକୁ ମିଳିଥିଲା । ପଚରାଉଚରା ପରେ ଅଙ୍ଗାଡିଆ ସ୍କିମ୍ ବାବଦରେ ଜଣାପଡିଥିଲା । କରଂଜିଆର ବ୍ୟବସାୟୀ କମଲ ଶାହଙ୍କୁ ଅଙ୍ଗାଡିଆ ସ୍କିମରେ ଫସାଇଥିଲେ ଦୁର୍ବୁତ୍ତ । ୧ କୋଟି ଟଙ୍କା ଦେଲେ ଦେଢ କୋଟି ଟଙ୍କା ଆକାଉଂଟରେ କ୍ର୍ରେଡିଟ୍ ହେବ ବୋଲି କହିଥିଲେ । ବ୍ୟବସାୟୀ ଜଣକ ଅଢେଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ ଧରି ଭୁବନେଶ୍ୱର ଆସିଥିଲେ । ଅଙ୍ଗାଡିଆ ସ୍କିମର ମାଷ୍ଟରମାଇଣ୍ଡ୍ ପ୍ରଶାନ୍ତ ପଣ୍ଡା ବ୍ୟବସାୟୀଙ୍କ ଉପରେ ଚଢାଉ କରି ଟଙ୍କା ହଡପ ପାଇଁ ଉଦ୍ୟମ କଲା ବେଳେ ପୋଲିସ ହାତରେ ଧରାପଡିଥିଲେ । ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ପୋଲିସ ବିଭାଗର ୨ ଜଣ ଓ କଟକ ସହରାଂଚଳ ପୋଲିସ ବିଭାଗରେ ଜଣେ କର୍ମଚାରୀ ଅଛନ୍ତି ।

Comments are closed.