ଆସନ୍ତା ୨୧ରୁ ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିର ଯାଇପାରିବେ ଭକ୍ତ, ରବିବାର ବନ୍ଦ ରହିବ ଦର୍ଶନ, ବୟସ୍କଙ୍କ ପାଇଁ ଅଲଗା ଧାଡି

ପୁରୀ- ଆସନ୍ତା ୨୧ ତାରିଖରେ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଭକ୍ତ । କୋଭିଡ ନେଗେଟିଭ ରିପୋର୍ଟ ଆଉ ବାଧ୍ୟତାମୂଳକ ନୁହେଁ । ଏ ନେଇ ଗତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଥିବା ନିଷ୍ପତି କାଏମ ରଖାଯାଇଛି । କେବଳ ମୁଖ୍ୟ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଛଡାଯିବ । ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ବିନା ରିପୋର୍ଟରେ ଭକ୍ତଙ୍କ ଦର୍ଶନ କିଭଳି ହୋଇପାରିବ, ସେ ନେଇ ଆଲୋଚନା କରିବାକୁ ଆଜି ଗୁୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।

ଜିଲ୍ଲାପାଳ ସମର୍ଥ ବର୍ମା ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ନିଷ୍ପତି ହୋଇଛି ଯେ, ପ୍ରାଥମିକ ଭାବେ ପ୍ରତିଦିନ ୩୦ ହଜାର ଭକ୍ତଙ୍କ ନିମନ୍ତେ ଦର୍ଶନର ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମ ଓ ବୟସ୍କ ଭକ୍ତଙ୍କ ପାଇଁ ଅଲଗା କ୍ୟୁ ବ୍ୟବସ୍ଥା କରାଯିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ଭକ୍ତମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଏଥିପାଇଁ କିଓସ୍କ ସବୁ ପୂର୍ବଭଳି କାମ କରିବ । ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ୬ଟାରୁ ୭ଟା ମଧ୍ୟରେ କେବଳ ପୁରୀ ସହରର ଲୋକେ ଦର୍ଶନ କରିପାରିବେ ।

Comments are closed.