କାମ ଦେଲା ସଫଳ ରଣନୀତି: ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ନିମ୍ନଗାମୀ

୨୦ ଦିନରେ ଛିଡା ହେଲା ବିରାଟ ସାସ୍ଥ୍ୟ ଭିତ୍ତିଭୂମି

ସମ୍ବଲପୁର : ପଡ଼ୋଶୀ ଛତିଶଗଡ଼ରେ କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପେ ବ୍ୟାପିବା ପରେ ଏହା ପଶ୍ଚିମ ଓଡ଼ିଶାକୁ ଗ୍ରାସ କରିଥିଲା । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍ଥିତି ବେକାବୁ ଅବସ୍ଥାକୁ ଚାଲି ଆସିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡିଶା ପ୍ରତି ସତନ୍ତ୍ର ଫୋକସ୍ ଏବଂ ଜିଲ୍ଲା ପ୍ରଶାସନଗୁଡିକର ସଫଳ ରଣନୀତି ଯୋଗୁଁ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ବିଶେଷ କରି ଲକଡାଉନ୍ ଏବଂ ସଟଡାଉନ୍ ଚେନ୍ ଭାଙ୍ଗିବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି । କାରଣ , ଗତ ୩ ଦିନ ହେଲା ସଂକ୍ରମଣ ଅଧିକ ବଢୁଥିବା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବାରେ ଲାଗିଛି । ଆଉ ଏହା ଲୋକଙ୍କୁ ମଧ୍ୟ ଅନେକ ମାତ୍ରାରେ ଆଶ୍ବସ୍ତି ଦେଉଛି ।

ଅଚାନକ ଅପ୍ରେଲ ୧୦ ତାରିଖ ପରେ ସାରା ପଶ୍ଚିମ ଓଡିଶାରେ ବାତ୍ୟା ପରି ମାଡ଼ି ଚାଲିଥିଲା କରୋନାର ଦ୍ବିତୀୟ ଲିହର । ଚାହୁଁ ଚାହୁଁ ପଶ୍ଚିମ ଓଡିଶାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦୈନିକ ସଂକ୍ରମଣ ସଂଖ୍ୟା ପ୍ରତି ଜିଲ୍ଲାରେ ଆକାଶଛୁଆଁ ହୋଇଯାଇଥିଲା । ଏପରିକି ଗତବର୍ଷ ଠାରୁ ସଂକ୍ରମଣ ହାର ୩ ଗୁଣରୁ ଅଧିକ ହୋଇଗଲା । ତେବେ , ପରିସ୍ଥିତିକୁ ଦେଖି ପୁଣି ରାଜ୍ୟ ସରକାରଙ୍କ ସମେତ ସବୁ ଜିଲ୍ଲା ପ୍ରଶାସନ ବି ପୂର୍ବ ପରି ଟ୍ରିପଲ୍ ଟିକୁ ଗୁରୁତ୍ବ ଦେଇଥିଲେ । ଟେଷ୍ଟିଂ , ଟ୍ରାକିଂ ଏବଂ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଇଥିଲା ।

ଏହାସହ ପଡୋଶୀ ଛତିଶଗଡ ସମେତ ଅନ୍ୟ ରାଜ୍ୟରୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିବାରୁ ସ୍ଥିତି ବିଗିଡିବାରେ ଲାଗିଥିଲା । ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ଆଗୁଆ ସବୁ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରିଥିଲେ । ଆଉ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସପ୍ତାହନ୍ତ ୨ ଦିନ ସଟଡାଉନ୍ ଲାଗୁ । ପରେ ଗତ ୫ ତାରିଖରୁ ସମଗ୍ର ରାଜ୍ୟରେ ଲକଡାଉନ ଲାଗୁ କରିଛନ୍ତି । ସେହିପରି ପ୍ରତି ଜିଲ୍ଲାରେ ଟେଷ୍ଟ୍ରିଂ ସଂଖ୍ୟାକୁ ବଢାଇବା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ସବୁ ପଡୋଶୀ ରାଜ୍ୟର ସୀମାନ୍ତ ପୋଷ୍ଟରେ ଯାଞ୍ଚକୁ କଡାକଡି କରାଯାଇଛି । ଆରଟିପିସିଆର ନେଗେଟିଭ୍ ରିପୋର୍ଟ ସହ ଡବଲ ଡୋଜ୍ ଟିକା ପ୍ରମାଣପତ୍ର ବିନା ଓଡିଶା ସୀମାକୁ ପ୍ରବେଶ ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି ।

ଆଉ ଏହି ସୁଚିନ୍ତିତ ପଦକ୍ଷେପ ସରୂପ ବର୍ତମାନ ପ୍ରାୟ ୩ ଦିନ ହେଲା ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ନିମ୍ନଗାମୀ ହୋଇଛି । ତେବେ , ଲୋକେ ଏହି ଲକଡ଼ାଉକୁ କଡାକଡି ଭାବେ ପାଳନ କରିବା ସହିତ ସରକାରଙ୍କ ନିୟମକୁ ପୂର୍ବବତ୍ ମାନିଲେ ଏହି ଦ୍ବିତୀୟ ଲହରକୁ ବି ଅକ୍ଳେଶରେ ଜିତି ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

ବିଶେଷ କରି ସଂକ୍ରମଣ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ସମ୍ବଲପୁର , ସୁନ୍ଦରଗଡ , ବରଗଡ଼ ଏବଂ କଳାହାଣ୍ଡି ଜିଲ୍ଲାରେ ସଂକ୍ରମଣ ୩ ଦିନ ହେଲା ହ୍ରାସ ପାଇବାରେ ଲାଗିଛି । ସେହିପରି ଅନ୍ୟ ଜିଲ୍ଲାଗୁଡିକରେ ପ୍ରାୟତଃ ସ୍ଥିର ରହୁଥିବା ଦେଖିବାକୁ ମିଳିଛି । ସମ୍ବଲପୁରରେ କ୍ରମାଗତ ୫ ଶହ ଉପରେ ପ୍ରାୟ ୪ ଦିନ ରହିବା ପରେ ଗତ ୭ ତାରିଖରେ ୫୩୩ ରହିଥିଲା । ୮ରେ ୬୪୧ରେ ପହଞ୍ଚିଥିବା ବେଳେ ୯ରେ ଏହା ୩୦୨କୁ ଖସିଥିଲା । ଆଉ ଗତକାଲି ୩୫୬ ରହିଛି । ସେହିପରି ସୁନ୍ଦରଗଡ଼ରେ ୪ ଦିନ ତଳେ ୨ ହଜାର ଅତିକ୍ରମ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ତାରିଖରେ ହଜାରେ ତଳକୁ ଖସି ୯୪୩ ଥିବା ବେଳେ ଗତକାଲି ୧୦୧୮ ରହିଛି । କଳାହାଣ୍ଡିରେ ଗତ ତାରିଖ ସୁଦ୍ଧା କ୍ରମାଗତ ଭାବେ ୪ ଶହରୁ ୪୭୦ ପର୍ଯ୍ୟନ୍ତ ରହୁଥିବା ବେଳେ ଗତକାଲି ୨୨୪କୁ ଖସି ଆସିଛି । ସେପଟେ ଝାରସୁଗୁଡାରେ ମଧ୍ୟ ସଂକ୍ରମଣ ହାର ଯାହା ୩ ଦିନ ତଳେ ୪୫୬ ଥିଲା , ତାହା ୪୦୪କୁ ଖସିଛି । ଛତିଶଗଡ଼ ସୀମାନ୍ତ ଥିବା ଅନ୍ୟତମ ଜିଲ୍ଲା ବରଗଡରେ କ୍ରମାଗତ ୪ ଶହ ଉପରେ ରହୁଥିବା ସଂକ୍ରମଣ ଗତକାଲି ୨୭୦କୁ ଖସିଛି । ସେହିପରି ବୌଦ୍ଧ ଏବଂ ସୋନପୁରରେ ବି ଆକ୍ରାନ୍ତ ସଂଖ୍ୟା ଖସୁଥିବା ଜଣାପଡିଛି । ଏହାଛଡା ବଲାଙ୍ଗୀର ଏବଂ ଦେବଗଡ଼ିରେ ସ୍ଥିତିରେ ସୁଧାର ଆସିନଥିବା ବେଳେ ନୂଆପଡାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ଜଣାପଡ଼ିଛି ।

ମୋଟ୍ ଉପରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ୭ଟି ଜିଲ୍ଲାରେ ସ୍ଥିତିରେ ଉଲ୍ଲେଖନୀୟ ଭାବେ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି । ସେପଟେ , ଆରୋଗ୍ୟ ହାର ବି ବଢୁଥିବାରୁ ଏହା ଲୋକଙ୍କ ମଧ୍ୟରେ ଅନେକ ଆଶ୍ୱସ୍ତି ଦେଇଛି । ମୋଟାମୋଟି ଭାବେ କୋଭିଡ୍ ମୁକାବିଲାରେ ନିୟୋଜିତ ପ୍ରତ୍ୟେକ ସାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭ କରି ପ୍ରତିଟି କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଦୃଷ୍ଟିରୁ ଲୋକେ ଏହି ଲକଡାଉନ୍‌କୁ କଡାକଡି ପାଳନ କରି ଘରେ ରହିଲେ ନିଶ୍ଚିତ ଭାବେ ସପ୍ତାହେ ମଧ୍ୟରେ କରୋନାର ଏହି ଦ୍ବିତୀୟ ଲହର ବି ସଫଳତାର ସହ ପାରି କରି ହେବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ମାତ୍ର ୨୦ ଦିନ ମଧ୍ୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ରାଜ୍ୟ ସରକାର ବିରାଟ ଭିଭିଭୂମି ଛିଡା କରିବାରେ ସଫଳ ହୋଇଥିବାରୁ ଏହା ଦ୍ବିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବାରେ ବେଶ୍ ସହାୟକ ହୋଇପାରିଥିବା ନେଇ ସାଧାରଣରେ ମତପ୍ରକାଶ ପାଇଛି ।

Comments are closed.