କେନ୍ଦ୍ର ସରକାର ସ୍ପଷ୍ଟ କଲେ, ଟିକା ବାଛିବାକୁ ବିକଳ୍ପ ଦିଆଯିବନି

ନୂଆଦିଲ୍ଲୀ – ଜାନୁୟାରୀ ୧୬ରୁ ଦେଶରେ ଆରମ୍ଭ ହୋଇଯିବ ଟିକାକରଣ ଅଭିଯାନ । ଏଥିପାଇଁ ଟିକା ସବୁ ରାଜ୍ୟରେ ପହଞ୍ଚି ସାରିଲାଣି । ଭାରତରେ ଜରୁରୀ ବ୍ୟବହାର ପାଇଁ ଦୁଇଟି ଟିକାକୁ ଅନୁମତି ମିଳିଛି । ତେବେ ଏହି ଦୁଇ ଟିକା ମଧ୍ୟରୁ ନିଜ ଇଚ୍ଛା ମୁତାବକ ଗୋଟିଏ ବାଛିବାକୁ ଲୋକଙ୍କୁ ଏବେ ବିକଳ୍ପ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏ ସଂକ୍ରାନ୍ତରେ ପରେ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କରୋନା ଯୋଦ୍ଧାଙ୍କୁ ଟିକା ଲଗାଯିବ । ଭାରତୀୟ ଔଷଧ ନିୟନ୍ତ୍ରକ ଦୁଇଟି ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’କୁ ବର୍ତ୍ତମାନ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନକା ସହ ମିଶି ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ‘କୋଭିସିଲ୍ଡ’ ଟିକା ବିକଶିତ କରିଛି । ସେହିପରି ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆଇସିଏମ୍‌ଆର) ସହଯୋଗରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ଟିକା ତିଆରି କରିଛି ।

ଟିକାର ଦୁଇଟି ଡୋଜ୍ ଲୋକଙ୍କୁ ଦିଆଯିବ । ପ୍ରଥମ ଡୋଜ୍ ଦିଆଯିବାର ୨୮ ଦନି ପରେ ଆଉ ଏକ ଡୋଜ୍ ଲଗାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ଶରୀରରେ ପ୍ରତିଷେଧକ ଶକ୍ତି ବଢିବ । ଟିକା ଦିଆଯିବା ପୂର୍ବ ଦିନ ଲୋକଙ୍କ ନିକଟକୁ ମେସେଜ୍ ଦ୍ୱାରା ସୂଚନା ଦିଆଯିବ । ଟିକାକରଣର ନେଇ ସମସ୍ତ ତଥ୍ୟ କୋ-ୱିନ୍ ଆପରେ ଅପଲୋଡ କରାଯିବ । ଟିକାକରଣ ପାଇଁ ଏହି ଆପ୍ ଜରିଆରେ ଲୋକଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଯାବତ୍ ପ୍ରାୟ ୧ କୋଟି ଲୋକ ଏହି ଆପରେ ରେଜିଷ୍ଟ୍ରେସନ୍ କରିସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.