ଚାଷୀଙ୍କ ଟ୍ରାକ୍ଟର ରାଲି ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବାହାର କରିବାକୁ କୃଷକ ସଂଗଠନ ଯୋଜନା କରୁଛନ୍ତି । ଏହା ବିରୋଧରେ ଦିଲ୍ଲୀ ପୋଲିସ୍ ଦାୟର କରିଥିବା ଏକ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଦିଲ୍ଲୀ ପୋଲିସ୍ ତରଫରୁ ଦାୟର ପିଟିସନରେ କୁହାଯାଇଛି ଯେ, ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ପାଇଁ କୌଣସି ରାଲି କିମ୍ବା ପ୍ରତିବାଦ ଶୋଭାଯାତ୍ରା ଦେଶ ପାଇଁ ଏକ ଜାତୀୟ ଲଜ୍ଜା ପାଲଟିବ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଦେଶର ଛବି ଖରାପ ହେବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ । ଗଣତନ୍ତ୍ର ଦିବସ ଯେଭଳି ବ୍ୟାହତ ନ ହୁଏ ସେଥିପାଇଁ ଟ୍ରାକ୍ଟର ରାଲି ଉପରେ ରୋକ୍ ଲଗାଯାଉ ବୋଲି ଦିଲ୍ଲୀ ପୋଲିସ ଦାବି କରିଛି । ଅନ୍ୟପକ୍ଷେ କୃଷକ ସଂଗଠନ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି । ଦିଲ୍ଲୀର ଆଉଟର ରିଙ୍ଗ୍ ରୋଡରେ ଜାତୀୟ ପତାକା ସହ ଟ୍ରାକ୍ଟର ରାଲି ହେବ । ଗଣତନ୍ତ୍ର ଦିବସ ଏହା ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି ।

ଚାଷୀ ଆନ୍ଦୋଳନରେ କିଛି ଖଲିସ୍ତାନି ସମର୍ଥକ ସାମିଲ ଅଛନ୍ତି । ସେମାନେ ଚାଷୀମାନଙ୍କୁ ଉସକାଉଛନ୍ତି । ଚାଷୀମାନଙ୍କୁ ମାଧ୍ୟମ କରିି ଖଲିସ୍ତାନୀ ସମର୍ଥକ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି । ଏହି ପ୍ରସଙ୍ଗ ଉପରେ ବି ସୁପ୍ରିମକୋର୍ଟ ଶୁଣାଣି କରିବା ସମ୍ଭାବନା ରହିଛି । ଅନ୍ୟପକ୍ଷେ ଜାନୁୟାରୀ ୨୬ ପରେଡ୍ ଓ ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଦିଲ୍ଲୀ ପୋଲିସ୍ ଜାତୀୟ ରାଜଧାନୀରେ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଛି । ଏଥିମଧ୍ୟରୁ ଅଧିକାଂଶ ଖଲିସ୍ତାନୀ ଆତଙ୍କବାଦୀଙ୍କ ପୋଷ୍ଟର ରହିଛି ।

Comments are closed.