ଚାଷୀ ଆନ୍ଦୋଳନ: ଆଜି ଉପବାସ ‌ରହି ଟ୍ରାକ୍ଟର ରାଲି ହିଂସାର ପ୍ରାୟଶ୍ଚିତ କରିବେ ଚାଷୀ

ନୂଆଦିଲ୍ଲୀ – ଆଜି କୃଷି ନିୟମ ବିରୋଧରେ ଚାଷୀ ଆନ୍ଦୋଳନର ୬୬ତମ ଦିନ । କିନ୍ତୁ ଗତ ୪ ଦିନରେ ୨ ଥର ହିଂସା ପରେ ଏହି ଆନ୍ଦୋଳନ ଏକ ନୂଆ ମୋଡ଼ ନେଇଛି। ସିଙ୍ଘୁ ସୀମା ସହିତ ଗାଜୀପୁର ମଧ୍ୟ ଏହି ଆନ୍ଦୋଳନର ଏକ ବଡ଼ ବିନ୍ଦୁ ପାଲଟିଛି । କାରଣ ୟୁପିର ଆହୁରି ହଜାର ହଜାର କୃଷକ ଆଜି ଗାଜିପୁର ଅଭିମୁଖେ ଯାତ୍ରା କରିବେ। ଏହି ଆନ୍ଦୋଳନକୁ ମଜବୁତ କରିବା ପାଇଁ ଶୁକ୍ରବାର ମୁଜାଫରନଗରରେ ଅନୁଷ୍ଠିତ ମହାପଞ୍ଚାୟତ ଠାରେ ଏହି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ସଦଭାବନା ଦିବସ ପାଳନ ପାଇଁ କୃଷକ ନେତାମାନେ ଆଜି ଦିନସାରା ଉପବାସ ରହିବେ। ଏହା ମାଧ୍ୟମରେ ସେମାନେ ୨୬ ଜାନୁଆରୀରେ ଦିଲ୍ଲୀରେ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାକାଣ୍ଡର ପ୍ରାୟଶ୍ଚିତ କରିବାକୁ ଚାହୁଁଛନ୍ତି।

ଶୁକ୍ରବାର କୃଷକ ଆନ୍ଦୋଳନର ସବୁଠାରୁ ବଡ ବିନ୍ଦୁ ସିଙ୍ଘୁ ସୀମାରେ ସ୍ଥାନୀୟ ଓ କୃଷକଙ୍କ ମଧ୍ୟରେ ହିଂସା ଦେଖାଦେଇଥିଲା। ଏଥିରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ବିକ୍ଷୋଭକାରୀ ଖଣ୍ଡା ଦ୍ୱାରା ଏସଏଚ୍ଓଙ୍କ ଉପରେ ଆକ୍ରମଣ କରିଥିଲା | ଏହି ମାମଲାରେ ଏପର୍ଯ୍ୟନ୍ତ ୪୪ ଜଣଙ୍କୁ ଗିରଫ କରାଯାଇଛି। ଏଥି ସହିତ ସିଙ୍ଘୁ ଏବଂ ଟିକ୍ରି ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି।

ସିଙ୍ଘୁ ସୀମାରେ ହିଂସା ପରେ ସ୍ଥିତି ବିଗିଡବାର ସମ୍ଭାବନାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଶୁକ୍ରବାର ସନ୍ଧ୍ୟାରେ ୧୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ଭଏସ୍ କଲ୍ ବ୍ୟତୀତ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ |

Comments are closed.