ଚାଷୀ ଆନ୍ଦୋଳନ: ଟ୍ରାକ୍ଟର ରାଲି ଉପରେ ପୋଲିସ୍ ନିଷ୍ପତ୍ତି ନେବ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଜାନୁୟାରୀ ୨୬ ରେ କୃଷକ ମାନଙ୍କ ଦ୍ୱାରା ଜାତୀୟ ରାଜଧାନୀରେ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଳୀ ପୋଲିସ୍ ଏନେଇ ନିଷ୍ପତ୍ତି ନେବ ବୋଲି କୋର୍ଟ କହିଛନ୍ତି । ଟ୍ରାକ୍ଟର ରାଲି ରୋକିବାକୁ ଦିଲ୍ଲୀ ପୋଲିସ୍ ମାଧ୍ୟମରେ କେନ୍ଦ୍ର ସରକାର କରିଥିବା ଆବେଦନ ଉପରେ ଆଜି ପୁଣିଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କିନ୍ତୁ ଚାଷୀଙ୍କ ଟ୍ରାକ୍ଟର ରାଲି ବାବଦରେ କୌଣସି ଆଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅନୁମତି ଦିଆଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ପୋଲିସର ରହିଛି । ଆମକୁ ଏହି ପ୍ରସଙ୍ଗରେ କିଛି କହିବାର ନାହିଁ ବୋଲି ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି । ଏହାଛଡ଼ା କେନ୍ଦ୍ର ସରକାରଙ୍କ ଦ୍ୱାରା ଦାୟର ପିଟିସନକୁ ପ୍ରତ୍ୟାହାର କରିବାକୁ କୋର୍ଟ କହିଛନ୍ତି ।

ଚାଷୀ ଆନ୍ଦୋଳନର ସମାଧାନ ପାଇଁ ଗଠିତ ବିଶେଷଜ୍ଞ କମିଟିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶୁଣାଣି ବେଳେ ଏନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ କହିଥିଲେ ଯେ କମିଟିକୁ କୌଣସି ଏକତରଫା ନିଷ୍ପତ୍ତି ନେବାକୁ କୁହାଯାଇ ନାହିଁ । ସବୁପକ୍ଷର ମତାମତ ଶୁଣିବା ପରେ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଆମେ କୃଷି ଆଇନକୁ ସ୍ଥଗିତ ରଖି ଏହି କମିଟି ଗଠନ କରିଛୁ । ଯେଉଁମାନେ କମିଟି ଆଗରେ ହାଜର ହେବାକୁ ଚାହୁଁ ନାହାନ୍ତି, ନ ଆସନ୍ତୁ । କିନ୍ତୁ କମିଟି ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି ।

Comments are closed.