ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ପରଲୋକ

ନୂଆଦିଲ୍ଳୀ: ଦୁଇ ଥରର ଜାମ୍ମୁକାଶ୍ମୀର ରାଜ୍ୟପାଳ ଜଗମୋହନ ମଲହୋତ୍ରାଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା ।

ଜଗମୋହନ ପ୍ରଥମେ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ହୋଇଥିଲେ । ଏହାପରେ ସେ ୧୯୯୦ରୁ ଜାନୁୟାରୀ-ମେ ଯାଏଁ ପୁଣି ଏହି ଦାୟିତ୍ୱ ତୁଲାଇଥିଲେ । ରାଜ୍ୟପାଳ ଭାବେ ସେ ସେତେବେଳେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଓ ଚରମପନ୍ଥୀଙ୍କ ବିରୋଧରେ କଡ଼ା ପଦକ୍ଷେପ ପାଇଁ ଚର୍ଚ୍ଚିତ ହୋଇଥିଲେ । କାଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାର ରୋକିବାରେ ମଧ୍ୟ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ଅବଶ୍ୟ ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ବିବାଦୀୟ ଥିଲା । ବିରୋଧୀଙ୍କ ସମାଲୋଚନା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭିପି ସିଂହ ଜଗମୋହନଙ୍କୁ ଦ୍ୱିତୀୟ କାର୍ଯ୍ୟକାଳର କିଛି ମାସ ମଧ୍ୟରେ ପଦରୁ ହଟାଇଥିଲେ ।

ପରେ ୧୯୯୬ରେ ଜଗମୋହନ ବିଜେପି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଅଟଳ ବିହାରୀ ବାଜପେୟୀ ସରକାରରେ ସେ ନଗର ଉନ୍ନୟନ ଏବଂ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ । ସେ ଗୋଆ ଓ ଦିଲ୍ଲୀର ଉପରାଜ୍ୟପାଳ ଦାୟିତ୍ୱ ବି ସମ୍ଭାଳିଥିଲେ । ୧୯୭୧ରେ ତାଙ୍କୁ ପଦ୍ମଶ୍ରୀ, ୧୯୭୭ରେ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନ ମିଳିଥିଲା ।

Comments are closed.