ଟ୍ରମ୍ପଙ୍କ ଚ୍ୟାନେଲ୍ ବନ୍ଦ କଲା ୟୁଟ୍ୟୁବ୍‌

ୱାଶିଂଟନ୍ – ଟ୍ୱିଟର ଓ ଫେସବୁକ୍ ପରେ ଏବେ ୟୁଟ୍ୟୁବ୍ ବି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବ୍ୟାନ୍ କରିଛି । ଆମେରିକା ସଂସଦ ଭବନରେ ଘଟିଥିବା ହିଂସାକାଣ୍ଡ ପାଇଁ ୟୁଟ୍ୟୁବ ଟ୍ରମ୍ପଙ୍କ ଚ୍ୟାନେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଟ୍ରମ୍ପଙ୍କ ଚ୍ୟାନେଲରେ ନୂଆ ଭିଡିଓ ଅପଲୋଡ୍ ଓ ଲାଇଭ୍ ଷ୍ଟ୍ରିମିଂକୁ ସାତ ଦିନ ଯାଏଁ ବ୍ଲକ୍ କରିଛି ୟୁଟ୍ୟୁବ୍ । ଏହି କଟକଣା ଅବଧି ବଢ଼ିପାରେ ବୋଲି ମଧ୍ୟ ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି ।

ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟକୁ ଅନୁମୋଦନ କରିବା ପାଇଁ ଗତ ବୁଧବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନ ବେଳେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ହଠାତ୍ ସଂସଦ ଭବନ ପରିସରକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ଓ ପୋଲିସର କାର୍ଯ୍ୟାନୁଷ୍ଠାନରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଟ୍ୱିଟର ଓ ଫେସବୁକ୍ ଟ୍ରମ୍ପଙ୍କ ଆକାଉଣ୍ଟ୍ ସସପେଣ୍ଡ୍ କରିଥିଲେ । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଜରିଆରେ ଟ୍ରମ୍ପ ତାଙ୍କ ସମର୍ଥକମାନଙ୍କୁ ହିଂସା ପାଇଁ ଉସକାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା ।

Comments are closed.