ଟ୍ରାକ୍ଟର ରାଲି ଜିଦ୍‌ରେ ଅଟଳ କୃଷକ ସଂଗଠନ, ଦିଲ୍ଲୀ ପୋଲିସ ସହ ବୈଠକ ବିଫଳ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବା ନେଇ କୃଷକ ସଂଗଠନ ଅଡ଼ି ବସିଛନ୍ତି । ଏହି ପ୍ରସଙ୍ଗରେ କୃଷକ ସଂଗଠନ ଓ ଦିଲ୍ଲୀ ପୋଲିସ୍ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ପୋଲିସ୍ ଚାହୁଁଛି ଯେ, ଚାଷୀମାନେ ଦିଲ୍ଲୀ ବାହାରେ ଟ୍ରାକ୍ଟର ରାଲି କରନ୍ତୁ । କିନ୍ତୁ ଚାଷୀମାନେ ଦିଲ୍ଲୀର ଆଉଟର ରିଙ୍ଗ୍ ରୋଡ୍‌ରେ ଏହି ରାଲି କରିବାକୁ ଜିଦ୍ ଧରିଛନ୍ତି । ଆମେ ଶାନ୍ତିପୂର୍ଣ୍ଣ ଭାବେ ଦିଲ୍ଲୀରେ ଏହି ରାଲି କରିବୁ । ଦିଲ୍ଲୀ ବାହାରେ ଏହି ରାଲି ସମ୍ଭବପର ନୁହେଁ ବୋଲି ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ।

ଆଜି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବେଳେ ଟ୍ରାକ୍ଟର ରାଲି ଦିଲ୍ଲୀରେ ନ କରିବାକୁ କୃଷକ ସଂଗଠନ ମାନଙ୍କୁ ଦିଲ୍ଲୀ ପୋଲିସ୍ ବୁଝାଇବାକୁ ଉଦ୍ୟମ କରିଥିଲା । ଦିଲ୍ଲୀର ଆଉଟର ରିଙ୍ଗ୍ ରୋଡ୍ ପରିବର୍ତ୍ତେ ଏହି ପ୍ରସ୍ତାବିତ ରାଲି କୁଣ୍ଡଲି-ମାନେସର-ପାଲୱାଲ (କେଏମ୍‌ପି) ଏକ୍ସପ୍ରେସୱେରେ କରିବାକୁ କୃଷକ ସଂଗଠନମାନଙ୍କୁ ପୋଲିସ୍ ପ୍ରସ୍ତାବ ଦେଇଥିଲା । କିନ୍ତୁ ଚାଷୀମାନେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ । କୃଷକ ମାନଙ୍କ ସହ ଆଜିର ବୈଠକରେ ଦିଲ୍ଲୀ ପୋଲିସ ସହ ହରିୟାଣା ଓ ଉତ୍ତର ପ୍ରଦେଶ ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଟ୍ରାକ୍ଟର ରାଲି ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ପୋଲିସ୍ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ହେଲେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ । ଟ୍ରାକ୍ଟର ରାଲି ଉପରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ପୋଲିସର ଅଧିକାର ରହିଛି । ଦିଲ୍ଲୀକୁ କିଏ ଆସିବ କିଏ ନାହିଁ ତାହା ପୋଲିସ୍ ନିଷ୍ପତ୍ତି ନେବ ବୋଲି କୋର୍ଟ କହିଥିଲେ ।

Comments are closed.