ଦୁର୍ବଳ ପଡୁଥିଲା ଚାଷୀ ଆନ୍ଦୋଳନ, ରାକେଶ ଟିକୟତଙ୍କ ଆଖିରୁ ଲୁହ ଝରିବା ପରେ ରାତାରାତି ବଦଳିଲା ଦୃଶ୍ୟ

ନୂଆଦିଲ୍ଲୀ – ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ହିଂସା ପରେ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଦୁର୍ବଳ ପଡିଯାଇଥିଲା । ଗୋଟିଏ ପରେ ଗୋଟିଏ କୃଷକ ସଂଗଠନ ଏହି ଆନ୍ଦୋଳନରୁ ଓହରିବାର ଲାଗିଥିଲେ । ତେବେ କୃଷକ ନେତା ରାକେଶ ଟିକୟତଙ୍କ ଆଖିରୁ ଲୁହ ଝରିବା ପରେ ଆନ୍ଦୋଳନ ପୁଣି ଉଜ୍ଜୀବିତ ହୋଇ ଉଠିଛି । ଦିଲ୍ଲୀ-ୟୁପି ସୀମା ଗାଜିପୁରରେ ରାତାରାତି ଦୃଶ୍ୟ ବଦଳି ଯାଇଛି । ଟିକୟତଙ୍କ ଲୁହ ଦେଖି ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାରୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମା ଆଡକୁ ମୁହାଁଇଛନ୍ତି ।

ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ପରେ ଚାଷୀ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଥିଲା । ହିଂସା ବିରୋଧରେ ହେଉ ଅବା ପୋଲିସ ଆକ୍ସନ ଭୟରେ ବହୁ ଚାଷୀ ନିଜ ନିଜ ଘରକୁ ଫେରିଯାଇଥିଲେ । ଗୁରୁବାର ଗାଜିପରୁ ସୀମାରେ ୟୁପି ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ଅଧିକାରୀ ପହଞ୍ôଚଥିଲେ । ଆନ୍ଦୋଳନରତ ଚାଷୀଙ୍କୁ ରାତି ସୁଦ୍ଧା ସେହି ସ୍ଥାନ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ୍ କାର୍ଯ୍ୟାନୁଷ୍ଠାନ ଭୟରେ ସେଠାରେ ବିକ୍ଷୋଭରତ ଅନେକ ଚାଷୀ ଘରକୁ ଫେରିଥିଲେ । ଏପରିକି ରାକେଶ ଟିକୟତଙ୍କ ଭାଇ ତଥା ଭାରତୀୟ କିଷାନ ୟୁନିୟତ ଅଧ୍ୟକ୍ଷ ନରେଶ ଟିକୟତ ମଧ୍ୟ ଆନ୍ଦୋଳନ ଶେଷ କରିବାକୁ ପଡିବ ବୋଲି ଘୋଷଣା କରିଥିଲେ । କିନ୍ତୁ ମାତ୍ର କିଛି ମିନିଟ୍ ମଧ୍ୟରେ ଚିତ୍ର ବଦଳି ଯାଇଥିଲା । ଭାଇ ରାକେଶଙ୍କ ଆଖିରେ ଲୁହ ଦେବା ପରେ ମୁଜଫରନଗରରେ ଚାଷୀମାନଙ୍କ ଏକ ମହାପଞ୍ଚାୟତ ଡକାଯାଇଥିଲା ଓ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ରାକେଶ ଟିକୟତ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ ଯେ, କୃଷି ଆଇନ ରଦ୍ଦ ନ ହେବା ଯାଏଁ ସେ ଘରକୁ ଫେରିବେ ନାହିଁ । ବରଂ ଆଇନ ପ୍ରତ୍ୟାହାର ନ କରାଗଲେ ସେ ଏଠାରେ ହିଁ ଆତ୍ମହତ୍ୟା କରିଦେବେ । ରାକେଶ ଟିକୟତଙ୍କ ଏହି ଭାବବିହ୍ୱଳ ବୟାନ ଗଣମାଧ୍ୟମରେ ପ୍ରଚାର ହେବା ମାତ୍ରେ ହରିୟାଣା, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ହଜାର ହଜାର ଚାଷୀ ଶୀତରାତିକୁ ଭ୍ରୂକ୍ଷେପ ନ କରି ଦିଲ୍ଲୀ ସୀମା ଆଡକୁ ମୁହାଁଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଟ୍ରାକ୍ଟର ରାଲି ହିଂସା ମାମଲାରେ ପୋଲିସ ରାକେଶ ଟିକୟତଙ୍କ ସମେତ ୩୭ କୃଷକ ନେତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସା ପରେ ଚାରି କୃଷକ ସଂଗଠନ ଚାଷୀ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed.