ଦେଶରେ ୨୯୬ ମୋବାଇଲ ଆପ୍ ବ୍ୟାନ୍ କରାଯାଇଛି

ନୂଆଦିଲ୍ଲୀ – ଗତ ୬ ବର୍ଷ ମଧ୍ୟରେ ଦେଶରେ ୨୯୬ ମୋବାଇଲ୍ ଆପ୍ ବ୍ୟାନ୍ କରାଯାଇଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଜବାବରେ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏହି ସୂଚନା ଦେଇଛନ୍ତି । ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ଏହି ସବୁ ଆପ୍‌କୁ ନିଷିଦ୍ଧ କରାଯାଇଛି ବୋଲି ସେ କହିଛନ୍ତି ।

ଏକ ଲିଖିତ ଉତ୍ତରରେ ଧୋତ୍ରେ କହିଛନ୍ତି, ୨୦୧୪ ଠାରୁ ଏ ପର୍ଯ୍ୟନ୍ତ ଦେଶରେ ୨୯୬ ମୋବାଇଲ୍ ଆପ୍‌ର ବ୍ୟବହାର ନିଷିଦ୍ଧି କରାଯାଇଛି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ଏ ଅନୁସାରେ ଏହି ସବୁ ଆପ୍‌କୁ ବ୍ଲକ୍ କରାଯାଇଛି । ଅନେକ ଚାଇନିଜ ଆପ୍‌ର ଅପବ୍ୟବହାର ହେଉଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟକୁ ଅଭିଯୋଗ ଆସିଛି । ଏହି ସବୁ ଆପ୍ ଜରିଆରେ ଭାରତୀୟ ନାଗରିକଙ୍କ ସମ୍ବେଦନଶୀଳ ତଥା ବ୍ୟକ୍ତିଗତ ତଥ୍ୟ ଦେଶ ବାହାରକୁ ଯାଉଛି । ଏହି ଆପ୍ ଗୁଡିକର ବ୍ୟବହାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାରୁ ଏଗୁଡିକୁ ବ୍ୟାନ୍ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧୋତ୍ରେ କହିଛନ୍ତି ।

ଚୀନ୍ ସହ ସୀମା ବିବାଦ ମଧ୍ୟରେ ଗତବର୍ଷ ଜୁନରେ ଭାରତ ସରକାର ୫୯ ଚାଇନିଜ୍ ଆପ୍ ବ୍ୟାନ୍ କରିଥିଲେ । ପୁଣି ସେପ୍ଟେମ୍ବରରେ ଆଉ ୧୧୮ ଚାଇନିଜ୍ ଆପ୍ ଉପରେ କଟକଣା ଲଗାଯାଇଥିଲା ।

Comments are closed.