ପଶ୍ଚିମବଙ୍ଗ ନିର୍ବାଚନ: ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ମମତା, ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ ଲଢ଼େଇ

କୋଲକାତା – ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ନନ୍ଦିଗ୍ରାମ ଆସନରୁ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଆସନରେ ମମତାଙ୍କ ମୁକାବିଲା ତାଙ୍କର ଏକଦା ଘନିଷ୍ଠ ବିବେଚିତ ହେଉଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ । ତିନି ମାସ ତଳେ ତୃଣମୂଳ କଂଗ୍ରେସ ଛାଡ଼ି ଶୁଭେନ୍ଦୁ ବିଜେପିରେ ଯୋଗ ଦେଇଥିଲେ । ମମତାଙ୍କୁ ଟକ୍କର ଦେବା ପାଇଁ ନନ୍ଦିଗ୍ରାମରୁ ଶୁଭେନ୍ଦୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ।

ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମମତା ନନ୍ଦିଗ୍ରାମର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପର ସେ ହଲ୍‌ଦିଆର ଏସ୍‌ଡିଓ କାର୍ଯ୍ୟାଳୟ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମମତା ପ୍ରଥମ ଥର ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ । ଗତ ଦୁଇ ନିର୍ବାଚନରେ ସେ କୋଲକାତାର ଭବାନୀପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ନନ୍ଦିଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ଭାବେ ପରିଚିତ । ଏଠାରେ ସେ ୨୦୧୬ରେ ତୃଣମୂଳ କଂଗ୍ରେସ ଟିକେଟ୍‌ରୁ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ । ସେ ମମତା ସରକାରର ମନ୍ତ୍ରିମଣ୍ଡଳରେ ବି ସାମିଲ ହୋଇଥିଲେ । ତେବେ ଗତ ଡିସେମ୍ବରରେ ଶୁଭେନ୍ଦୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଚଳିତ ଥର ନନ୍ଦିଗ୍ରାମରୁ ସେ ବିଜେପି ଟିକେଟ୍‌ରେ ଲଢ଼ିବେ । ମମତାଙ୍କୁ ସେ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇବା ବୋଲି ଶୁଭେନ୍ଦୁ କହିଛନ୍ତି ।

Comments are closed.