ବକ୍ସିଂ ଡେ ଟେଷ୍ଟ: ଭାରତ ୮ ୱିକେଟରେ ବିଜୟୀ, ସିରିଜ୍ ୧-୧

ମେଲବୋର୍ଣ୍ଣ – ଆଡିଲେଡ୍‌ର ପ୍ରତିଶୋଧ ମେଲବୋର୍ଣ୍ଣରେ ନେଇଛି ଭାରତ । ଆଡିଲେଡ୍ ବିପର୍ଯ୍ୟୟ ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ପୂର୍ବକ ଭାରତ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟକୁ ୮ ୱିକେଟରେ ଜିତି ନେଇଛି । ଅଷ୍ଟ୍ରେଲିଆ ପ୍ରଦତ୍ତ ୭୦ ରନର ବିଜୟଲକ୍ଷ୍ୟକୁ ଭାରତ ଚତୁର୍ଥ ଦିବସରେ କେବଳ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା । ଏହି ବିଜୟ ସହ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି । ବିରାଟ କୋହଲି, ମହମ୍ମଦ ସାମି ଓ ରୋହିତ ଶର୍ମାଙ୍କ ବିନା ଭାରତ ଏହି ଜବରଦସ୍ତ ବିଜୟ ହାସଲ କରିଛି ।

୭୦ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ଶୀଘ୍ର ମୟଙ୍କ ଅଗ୍ରୱାଲ (୫) ଓ ଚେତେଶ୍ୱର ପୂଜାରା (୩)ଙ୍କ ୱିକେଟ୍ ହରାଇଥିଲେ ବି ଡେବୁଟାଣ୍ଟ୍ ଶୁବମନ ଗିଲ୍ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆକୁ ଆଉ କୌଣସି ସୁଯୋଗ ନ ଦେଇ ବିଜୟ ନିଶ୍ଚିତ କରିଥିଲେ । ଗିଲ୍ ୩୫ ଓ ରାହାଣେ ୨୭ ରନ୍ କରି ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ । ପ୍ରଥମ ଇନିଂସରେ ଶତକ ହାସଲକାରୀ ରାହାଣେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ ତାର ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର ୧୩୩/୬ରୁ ଖେଳ ଆରମ୍ଭ କରିବା ପରେ ଠିକ୍ ଲଞ୍ଚ୍ ପୂର୍ବରୁ ୨୦୦ ରନରେ ଅଲ ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଡେବୁଟାଣ୍ଟ୍ ମହମ୍ମଦ ସିରାଜ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବୁମରା, ଅଶ୍ୱିନ ଓ ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲ୍ ଆଉଟ୍ ହୋଇଥିଲା । ଏହାର ଜବାବରେ ରାହାଣେଙ୍କ ଶତକ ବଳରେ ଭାରତ ୩୨୬ ରନ୍ କରି ୧୩୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା ।

Comments are closed.