ଭାରତରେ ବ୍ୟାପୁଛି ନୂଆ କରୋନା ଷ୍ଟ୍ରେନ, ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ନୂଆଦିଲ୍ଲୀ – ଭାରତରେ କାୟା ମେଲାଇବାରେ ଲାଗିଛି କରୋନାର ନୂଆ ଷ୍ଟ୍ରେନ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୬ରୁ ୨୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଦିଲ୍ଲୀ ଲ୍ୟାବ୍‌ରେ ୮, ନିମହନ୍ସରେ ୭, ସିସିଏମ୍‌ବି ହାଇଦ୍ରାବାଦ ଲ୍ୟାବ୍‌ରେ ଦୁଇ ଜଣଙ୍କ ନମୁନାରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବେଳେ କୋଲକାତା କଲ୍ୟାଣୀ ସ୍ଥିତ ଏନ୍‌ଆଇବିଜି, ପୁଣେର ଏନ୍‌ଆଇଭି, ଦିଲ୍ଲୀ ଆଇଜିଆଇବିରେ ଗୋଟିଏ ଲେଖାଏଁ ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିଛି । ସବୁ ଆକାନ୍ତ ବ୍ରିଟେନ୍ ଫେରନ୍ତା । ସମସ୍ତ ଆକ୍ରାନ୍ତଙ୍କୁ ସେମାନଙ୍କ ରାଜ୍ୟରେ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି । ଫ୍ଲାଇଟରେ ଆକ୍ରାନ୍ତଙ୍କ ସହ ଆସିଥିବା ଯାତ୍ରୀ, ସେମାନଙ୍କ ପରିବାର ସଦସ୍ୟ ଓ ଅନ୍ୟ ସମ୍ପର୍କୀଙ୍କ ମଧ୍ୟ କଣ୍ଟାକ୍ଟ ଟ୍ରେସିଙ୍ଗ୍ ଜାରି ରହିଛି ।

କେନ୍ଦ୍ର ସରକାର ୨୫ ନଭେମ୍ବରରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ଲୋକଙ୍କ ଆରଟି ପିସିଆର ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ଠାରେ ନୂଆ ଷ୍ଟ୍ରେନ୍ ରହିଛି କି ନାହିଁ ସ୍ପଷ୍ଟ କରିବାକୁ ନମୁନା ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯିବ । ଅନ୍ୟପକ୍ଷେ ଭାରତ ସରକାର ଡିସେମ୍ବର ୩୧ ଯାଏଁ ବ୍ରିଟେନରୁ ସବୁ ଫ୍ଲାଇଟ୍ ବାତିଲ କରିଛନ୍ତି । ଏହି କଟକଣା ଅବଧି ବଢିପାରେ ବୋଲି ଭାରତ ସରକାର ସଙ୍କେତ ଦେଇଛନ୍ତି ।

Comments are closed.