ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ

ନୂଆଦିଲ୍ଲୀ – ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ଆରମ୍ଭ ହେବ । କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଥିବା ବେଳେ କେନ୍ଦ୍ର ତରଫରୁ ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଦେଶରେ କରୋନାର ଊର୍ଦ୍ଧ୍ୱମୁଖୀ ଗତି ମଧ୍ୟରେ ସମସ୍ତଙ୍କ ଟିକାକରଣ ପାଇଁ ଦାବି ହୋଇଥିଲା । ସମ୍ପ୍ରତି ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ ଚାଲିଛି ।

ଭାରତରେ କୋଭିଡ୍‌-୧୯ ବିରୋଧରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସବୁ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ପରେ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ୪୫ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

କେନ୍ଦ୍ର ସରକାର କହିଛନ୍ତି ଯେ, ମେ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ଟିକାର କ୍ରୟ, ଦର ଏବଂ ଟିକାକରଣ ପାଇଁ ଯୋଗ୍ୟତା କୋହଳ କରାଯାଇଛି । ଟିକା ନିର୍ମାଣକାରୀ କମ୍ପାନୀଙ୍କୁ ଉତ୍ପାଦନ ବଢ଼ାଇବାକୁ ପ୍ରୋତ୍ସାହନ ଦିଆଯାଇଛି । ଟିକା ଉତ୍ପାଦନକାରୀ କମ୍ପାନୀ ନିଜ ଉତ୍ପାଦନର ୫୦% ଟିକା ସିଧାସଳଖ ରାଜ୍ୟ ମାନଙ୍କୁ ଯୋଗାଇ ପାରିବେ କିମ୍ବା ଖୋଲା ବଜାରରେ ବିକ୍ରି କରିପାରିବେ । ଏବେ ରାଜ୍ୟମାନେ ସିଧା ଟିକା ନିର୍ମାଣକାରୀ କମ୍ପାନୀଙ୍କ ଠାରୁ ସିଧାସଳଖ ଟିକା ପାଇପାରିବେ ।

Comments are closed.