ରେକର୍ଡ ସଂକ୍ରମଣ ଧାରା ଜାରି: ଭାରତରେ ଆଉ ୩.୪୬ ଲକ୍ଷ ମାମଲା ଚିହ୍ନଟ, ୨୬୨୪ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ଦ୍ୱିତୀୟ ଲହରୀର ଭୟାନକ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୪୬,୭୮୬ ମାମଲା ଚିହ୍ନଟ ହୋଇଛି । ଦୈନିକ ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଦିନକରେ ଏହି ରୋଗରେ ଆଉ ୨୬୨୪ ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ତୃତୀୟ ଦିନ ଧରି ଭାରତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି ଏବଂ ସଂକ୍ରମଣ ଗ୍ରାଫ୍ ଖସିବା ପରିବର୍ତ୍ତେ ଚିନ୍ତାଜନକ ଭାବେ ଉପରମୁହାଁ ହେବାରେ ଲାଗିଛି ।

ତେବେ ଗତ ୨୪ ଘଣ୍ଟାରେ ଏହି ରୋଗରୁ ୨.୧୯ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୬୬,୧୦୪୮୧କୁ ବୃଦ୍ଧି ପାଇଛି । କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୧,୮୯,୫୪୪ରେ ପହଞ୍ଚିଛି । ଏହି ରୋଗରୁ ଏଯାବତ୍ ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ଜଣ ସୁସ୍ଥ ହୋଇଛନ୍ତି । ଚିନ୍ତାର ବିଷୟ ହେଉଛି ସକ୍ରିୟ ମାମଲା କ୍ରମାଗତ ବଢ଼ି ଚାଲିଛି । ଏହି ସଂଖ୍ୟା ୨୫ ଲକ୍ଷ ଟପିଛି । ସଦ୍ୟତମ ତଥ୍ୟ ଅନୁସାରେ ଭାରତରେ ଏବେ ୨୫ ଲକ୍ଷ ୫୨ ହଜାର ୯୪୦ ସକ୍ରିୟ ରୋଗୀ ଅଛନ୍ତି । ସଂକ୍ରମଣ ବିସ୍ଫୋରଣ ମଧ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅବ୍ୟବସ୍ଥା ପରିସ୍ଥିତିକୁ ଆହୁରି ସଙ୍ଗୀନ୍ କରିଛି । ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନ୍ ଅଭାବରୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହେଉଛି ।

Comments are closed.