ରେଳଯାତ୍ରୀଙ୍କୁ ଝଟକା, ବଢ଼ିଲା ରେଳଭଡ଼ା

ନୂଆଦିଲ୍ଲୀ – ପେଟ୍ରୋଲ ଓ ଡିଜେଲ ଦର ସାଙ୍ଗକୁ ଏଲ୍‌ପିଜିର କ୍ରମାଗତ ଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଏବେ ଆଉ ଏକ ଝଟ୍‌କା ଲାଗିଛି । ବିଶେଷକରି ରେଳଯାତ୍ରୀଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ଭାରତୀୟ ରେଳବାଇ କିଛି ସ୍ୱଳ୍ପ ଦୂରଗାମୀ ତଥା ଲୋକାଲ ଟ୍ରେନର ଭଡ଼ା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଯାତ୍ରୀଙ୍କ ଅନାବଶ୍ୟକ ଭିଡ଼ କମାଇବା ପାଇଁ ଟ୍ରେନ୍ ଭଡ଼ା ବୃଦ୍ଧି କରାଯାଇଛି ବୋଲି ରେଳବାଇ ତରଫରୁ କୁହାଯାଇଛି । ରେଳଭଡ଼ା ବୃଦ୍ଧିର ପ୍ରଭାବ ସ୍ୱଳ୍ପ ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ପଡିବ । ରେଳବାଇ ଲୋକାଲ ଟ୍ରେନ୍ ଭଡ଼ା ଦୁଇଗୁଣ ବୃଦ୍ଧି କରିଛି । ବର୍ତ୍ତମାନ ଯାତ୍ରୀମାନଙ୍କୁ ୨୫ ଟଙ୍କାର ଯାତ୍ରା ପାଇଁ ୫୫ ଟଙ୍କା ଦେବାକୁ ପଡିବ । ସେହିପରି ୩୦ ଟଙ୍କା ବଦଳରେ ୬୦ ଟଙ୍କା ଭଡ଼ା ଦେବାକୁ ହେବ ।
ରେଳବାଇ କହିଛି ଯେ, ରେଳଭଡ଼ା ବୃଦ୍ଧି କେବଳ ତିନି ପ୍ରତିଶତ ଟ୍ରେନ୍ ଉପରେ ପଡିବ । ଦେଶରେ କିଛି ରାଜ୍ୟରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଛି । ଟ୍ରେନରେ ଅନାବଶ୍ୟକ ଭିଡ଼ କମାଇବା ସହ ସଂକ୍ରମଣକୁ ରୋକିବା ପାଇଁ ରେଳଭଡ଼ା ବୃଦ୍ଧି କରାଯାଇଛି ବୋଲି ରେଳବାଇ କହିଛି । କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଏହାକୁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯିବା ଉଚିତ । ପୂର୍ବରୁ ହିଁ ଯାତ୍ରୀ ମାନଙ୍କୁ ଟିକଟ ଉପରେ ରେଳବାଇ ତରଫରୁ ସବ୍‌ସିଡି ଦିଆଯାଉଛି । ଫଳରେ ରେଳବାଇକୁ ବଡ଼ କ୍ଷତି ସହିବାକୁ ପଡୁଛି ବୋଲି ରେଳବାଇ ତରଫରୁ କହାଯାଇଛି ।

ରେଳଭଡ଼ା ବୃଦ୍ଧି ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । କୋଭିଡ୍‌-୧୯ ବିପର୍ଯ୍ୟୟର ଶିକାର ହେଉଛନ୍ତି ସାଧାରଣ ଲୋକେ, ଏହାର ସୁଯୋଗ ନେଉଛନ୍ତି ସରକାର । ପେଟ୍ରୋଲ, ଡିଜେଲ, ଗ୍ୟାସ୍‌, ଟ୍ରେନ୍ ଭଡ଼ା ବୃଦ୍ଧି ମଧ୍ୟବିତ୍ତମାନଙ୍କ ଉପରେ ଦାଉ ସାଧୁଛି ବୋଲି ରାହୁଲ ଟ୍ୱିଟ କରି କହିଛନ୍ତି ।

Comments are closed.