ସେରମ୍ ଇନଷ୍ଟିଚ୍ୟୁଟ୍‌, ଭାରତ ବାୟୋଟେକ ଟିକାକୁ ଏବେ ମିଳିବନି ମଞ୍ଜୁରି, ଅଧିକ ଡାଟା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ –ଜରୁରୀ ବ୍ୟବହାର ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର କୋଭିଡ୍‌-୧୯ ଟିକାକୁ ଏବେ ମଞ୍ଜୁରି ଦେବାକୁ ମନା କରିଛି କେନ୍ଦ୍ର ସରକାରଙ୍କ ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) । ଏହି ଦୁଇ କମ୍ପାନୀଙ୍କୁ ସେମାନଙ୍କ ଟିକାର ଟ୍ରାଏଲ୍ ସମ୍ବନ୍ଧୀୟ ଅଧିକ ଡାଟା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ହିଁ ସେମାନଙ୍କ ଟିକାକୁ ଅନୁମୋଦନ କରାଯିବା ଉପରେ ବିଚାର କରାଯିବ । ଏନେଇ ଚୂଡାନ୍ତ ନିଷ୍ପତ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ନେବ ।

ଭାରତରେ ସେମାନଙ୍କ ଟିକାର ଜରୁରୀ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ତରଫରୁ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ଆଜି ଏସ୍‌ଇସିର ଏକ ବୈଠକ ବସିଥିଲା । ତେବେ ଉଭୟ କମ୍ପାନୀକୁ ସେମାନଙ୍କ ଟିକା ନେଇ ଅଧିକ ଡାଟା ଦେବାକୁ କୁହାଯାଇଥିଲା । ଏବେ ସେରମ୍ ଇନଷ୍ଟିଚ୍ୟୁଟ ଓ ଭାରତ ବୟୋଟେକକୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିବ । ଏସ୍‌ଇସିର କାମ ହେଉଛି ଡିସିଜିଆଇକୁ ଟିକା ସମ୍ବନ୍ଧୀୟ ପ୍ରସ୍ତାବ ଓ ପରାମର୍ଶ ଦେବା । ସମ୍ପୃକ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀକୁ ଅନୁମତି କେବଳ ଡିସିଜିଆଇ ଦେଇପାରିବ । କିଛି ଗଣମାଧ୍ୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଆବେଦନ ଖାରଜ ହୋଇଥିବା ନେଇ ଖବର ପ୍ରସାରଣ ହୋଇଥିଲା । ତେବେ ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଟ୍ୱିଟ୍ କରି ଖଣ୍ଡନ କରାଯାଇଛି । ନିକଟରେ ଫାଇଜର, ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ସେମାନଙ୍କ ଟିକାର ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଥିଲେ । ଫାଇଜର ପ୍ରଥମ କମ୍ପାନୀ ଭାବେ ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଥିଲା । ଏହାପରେ ଏହି ଦୌଡ଼ରେ ସେରମ୍ ଓ ଭାରତ ବାୟୋଟେକ୍ ସାମିଲ ହୋଇଥିଲେ ।

Comments are closed.