ଫେଲ୍ ମାରିଛି କେନ୍ଦ୍ର ସରକାରଙ୍କ କୋଭିଡ୍ ରଣନୀତି, ନା ଅଛି ବେଡ୍ ନା ଅକ୍ସିଜେନ୍‌, ଚାରିଆଡ଼େ ହାହାକାର

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଛି । ପ୍ରଥମେ ଟିକା ଅଭାବ ନେଇ ଅଭିଯୋଗ ହେଉଥିଲା । ଏବେ ରୋଗୀଙ୍କ ପାଇଁ ଚିକିତ୍ସା ଉପକରଣର ଅଭାବ କେନ୍ଦ୍ର ସରକାରଙ୍କ କୋଭିଡ୍ ରଣନୀତିର ବିଫଳତାକୁ ପଦରେ ପକାଇ ଦେଇଛି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ସ୍ଥିିତି ଅଣାୟତ୍ତ ହୋଇପଡିଛି । ଏହି ସବୁ ରାଜ୍ୟରେ କରୋନା ରୋଗୀଙ୍କୁ ହସ୍ପିଟାଲରେ ନା ମିଳୁଛି ବେଡ୍ ନା ଅକ୍ସିଜେନ୍ । ଅକ୍ସିଜେନ୍‌, ଭେଣ୍ଟିଲେଟର ଏବଂ ବେଡ୍ ପାଇଁ ଏବେ ଚାରିଆଡେ ହାହାକାର ପଡିଛି ।

ଦେଶର ଅର୍ଦ୍ଧାଧିକ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି । ଗୁଜରାଟ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ରୋଗୀଙ୍କୁ ହସ୍ପିଟାଲରେ ଶଯ୍ୟା ମିଳୁନି । ଏହି କାରଣରୁ କିଛି ହସ୍ପିଟାଲ୍ ରୋଗୀଙ୍କୁ ଦ୍ୱାର ମୁହଁରୁ ଫେରାଇ ଦେଉଛନ୍ତି । ଆଉ ଯେଉଁ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି, ସେମାନଙ୍କ ପାଇଁ ଅକ୍ସିଜେନର ଅଭାବ ଦେଖା ଦେଲାଣି ।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ବେଡ୍ ଓ ଅକ୍ସିଜେନ ନ ପାଇଁ ରୋଗୀ ପ୍ରାଣ ହରାଉଛନ୍ତି । ସରକାରୀ ହେଲ୍ପ ଲାଇନ୍ ସହ ଯୋଗାଯୋଗ କଲେ କୌଣସି ଉତ୍ତର ମିଳୁନାହିଁ । ସେପଟେ ଶବଦାହ ପାଇଁ ସହରର ସବୁ ଶ୍ମଶାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।

ଉତ୍ତର ପ୍ରଦେଶର ପଡ଼ୋଶୀ ରାଜ୍ୟ ମଧ୍ୟ ପ୍ରଦେଶରେ ସ୍ଥିତି ତଦ୍ରୁପ । ଗତକାଲି ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରେ ଥିବା ସରକାରୀ ମେଡିକାଲ କଲେଜରେ ଅକ୍ସିଜେନ ନ ପାଇଁ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ତା’ ପୂର୍ବରୁ ଗତ ଶନିବାର ଏହି ରାଜ୍ୟରେ ୬ ଜଣ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିଲେ ।

‘ଗୁଜରାଟ ମଡେଲ୍‌’ର କଥା କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟକୁ ବି କରୋନା ପ୍ରକୋପରୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ଗୁଜରାଟରେ ଅଧିକାଂଶ ସରକାରୀ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା ଉପକରଣର ଅଭାବ ଦେଖାଦେଇଛି । ବେଡ୍ ଅଭାବରୁ ଗୁରୁତର ରୋଗୀଙ୍କୁ ଫେରାଇ ଦିଆଯାଉଛି । କିଛି ରୋଗୀଙ୍କୁ ନିଜ ଖର୍ଚ୍ଚରୁ ଅକ୍ସିଜେନ ଏବଂ ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ପଡୁଛି । ଏଭଳି ଘୋର ଅବ୍ୟବସ୍ଥା ନେଇ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।

ଦେଶରେ ଏବେ ଦୈନିକ ପ୍ରାୟ ତିନି ଲକ୍ଷ ପାଖାପାଖି କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ଦୁଇଲକ୍ଷର ନିକଟତର ହେଲାଣି । ସ୍ଥିତି ବିଗୁଡୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ନିର୍ବାଚନରେ ବ୍ୟସ୍ତ ରହିବା ସମସ୍ତଙ୍କୁ ଚକିତ କରିଛି । କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏଥିପାଇଁ ମୋଦି ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ମଧ୍ୟ ମୋଦିଙ୍କ କୋଭିଡ୍ ନୀତିକୁ ସମାଲୋଚନା କରିଛନ୍ତି । ଗୁଜରାଟରେ କରୋନାରେ ଲୋକେ ପୋକମାଛି ଭଳି ମରୁଛନ୍ତି । ମୋଦିଙ୍କ ‘ଗୁଜରାଟ ମଡେଲ’ କୁଆଡେ ଗଲା ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି ।

Comments are closed.