ବିଶ୍ବ ମହାମାରୀକୁ ଟକ୍କର ଦେଉଛି ଟିମ୍ ଓଡିଶା

0

ଯୁଦ୍ଧରେ ଜୟ ପରାଜୟ କେବଳ ଜଣଙ୍କ ଶକ୍ତି ଉପରେ ନିର୍ଭରଶୀଳ ନଥାଏ। ବିଜୟ ପାଇଁ ଦରକାର ସଂଘବଦ୍ଧ ଓ ଏକତ୍ରିତ ଲଢ଼େଇ, ସୁଚିନ୍ତିତ ରଣନୀତି, ଉତ୍ତମ ସମନ୍ବୟ ଓ ଦକ୍ଷ ନେତୃତ୍ବ। କରୋନା ମହାମାରୀ ବିରୋଧରେ ଏଯାବତ ଓଡ଼ିଶାର ଲଢ଼େଇରେ ଆମ ରାଜ୍ୟର ବାଜିମାତ୍ ପଛରେ ରହିଛି ଏସବୁ ସାମୂହିକ କାରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଦ୍ବିତୀୟ ନେତୃତ୍ବ ସାଙ୍ଗକୁ ସାରା ରାଜ୍ୟର ଶୀର୍ଷରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପ୍ରଶାସନିକ କଳର ଐକ୍ୟବଦ୍ଧ ମୁକାବିଲା ଫଳରେ ଓଡ଼ିଶା ମାଟିରେ ମହାମାରୀ ପରାଜିତ ହୋଇଛି।

ବର୍ତ୍ତମାନ ଆମ ରାଜ୍ୟ କୋଭିଡ୍- ୧୯ ସଙ୍କଟ ବିରୋଧରେ ସମସ୍ତ ଶକ୍ତି ଓ କୌଶଳ ଜୁଟାଇ ଲଢ଼େଇ ଜାରି ରଖିଛି। ଯେତେବେଳେ ଅନ୍ୟ ରାଜ୍ୟରେ ଧିରେ ଧିରେ ମହାମାରୀ ସାଂଘାତିକ ରୂପ ଦେଖାଇବାରେ ଲାଗିଥିଲା, ସେତେବେଳେ ପ୍ରାରମ୍ଭ ଦିନ ଓ ସପ୍ତାହରୁ ହିଁ ଆଗୁଆ ପଦକ୍ଷେପ ଫଳରେ ଓଡ଼ିଶାରେ ମହାମାରୀ ଘାତକ ରୂପ ନେଇପାରି ନଥିଲା। ଆଉ ଏହି ସଫଳତାର ରହସ୍ୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱ ଏବଂ ବିଭିନ୍ନ ବିଭାଗ ତଥା ଅନୁଷ୍ଠାନର ସାମୂହିକ ପ୍ରୟାସ ଯାହାକି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବେ ତଦାରଖ କରାଯାଉଥିଲା। ସାମଗ୍ରୀକ ରୂପେ ମହାମାରୀକୁ ପରାଜିତ କରିବାକୁ ଏକକ ଲକ୍ଷ୍ୟ ରୂପେ ଗ୍ରହଣ କରି ଏହି ଟିମ୍ କାର୍ଯ୍ୟାରମ୍ଭ କରିଥିଲା। ଭିନ୍ନ ଭିନ୍ନ ମାଧ୍ୟମ, ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସାମିଲ ଥିବା ସତ୍ତ୍ବେ ସମସ୍ତଙ୍କ ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ସରକାରୀ କଳ ଦ୍ବାରା ପ୍ରତିଟି ବ୍ୟକ୍ତିର ଜୀବନ ରକ୍ଷା। ସାମୂହିକ କାର୍ଯ୍ୟର ପ୍ରତିଫଳନ ନ୍ୟୁନତମ ମୃତ୍ୟୁହାର, କମ୍ ସଂକ୍ରମଣ ହାର ଓ ଅଧିକରୁ ଅଧିକ ଆରୋଗ୍ୟ ପ୍ରତିଶତରେ ଦେଖିବାକୁ ମିଳିଲା। ସଂକ୍ଷେପରେ କହିଲେ, ଦଳଗତ କାର୍ଯ୍ୟ ତାର ଆଶାନୁରୂପକ ଫଳ ପ୍ରଦର୍ଶନ କରିଥିଲା। ଆମେ କହୁଛୁ ସେହି ଦଳଗତ ପ୍ରୟାସ ସମ୍ପର୍କରେ ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ସାସ୍ଥ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ପୋଲିସ, ସହରାଞ୍ଚଳ ଉନ୍ନୟନ, ବିପର୍ଯ୍ୟୟ ପରିଚାଳନା, ସୂଚନା ଓ ଲୋକ ସମ୍ପର୍କ, ମିଶନ୍ ଶକ୍ତି ଆଦି ସମ୍ପୃକ୍ତ ଥିଲା। ମହାମାରୀ ବିରୋଧରେ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳ ମନ୍ତ୍ର ଥିଲା ‘ଏକତ୍ରିତ ହୋଇ ଆମେ ସମ୍ପୂର୍ଣ୍ଣ ଲଢ଼ିବା ଓ ଜିତିବା’।

ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଥିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ। ପ୍ରଥମ ଦିନରୁ ହିଁ ଏହି ବିଭାଗ ଭାଇରସ୍ ବିରୋଧରେ ଶକ୍ତ ପ୍ରତିବନ୍ଧକ ଭଳି ଠିଆ ହୋଇ ରହିଥିଲା। ଯେତେବେଳେ ଦେଶରେ ମହାମାରୀର ଆଗମନ ହେଉଥିଲା, ସେତେବେଳେ ସ୍ଵାସ୍ଥ୍ୟ ବିଭାଗରେ ୫-ଟିର ପ୍ରୟୋଗ ଅଦୃଶ୍ୟ ଆଶୀର୍ବାଦ ଭଳି କାମ ଦେଇଥିଲା। ଫଳସ୍ଵରୂପ ଶତାବ୍ଦୀର ସବୁଠୁ ବଡ ସଙ୍କଟର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇପାରିଥିଲେ ରାଜ୍ୟ ସରକାର। ଆମ ଦେଶରେ ଭାଇରସ୍ ଆସିଛି କି ନାହିଁ, ଯେତେବେଳେ ଚର୍ଚ୍ଚା ମାତ୍ର ହେଉଥିଲା, ସେବେଠାରୁ ସ୍ବାସ୍ଥ୍ୟ ବିଭାଗ ଆକ୍ସନ୍ ମୋଡ୍‌ରେ ଆସି ଯାଇଥିଲା। ସରକାରଙ୍କ ପ୍ରଥମ ବଡ଼ ପଦକ୍ଷେପ ଥିଲା ଓଡ଼ିଶା କୋଭିଡ୍- ୧୯ ରେଗୁଲେସନ୍ ୨୦୨୦କୁ ଏପ୍ରିଲ ମାସରେ ସ୍ଵାସ୍ଥ୍ୟ ବିଭାଗ ଜରିଆରେ ଅନୁମୋଦନ ମିଳିଥିଲା। ଫଳରେ ଜନସ୍ବାସ୍ଥ୍ୟ, ସ୍ବାସ୍ଥ୍ୟ ସେବା ଏବଂ ମେଡିକାଲ୍ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟକୁ ସାରା ରାଜ୍ୟରେ ନିଜ କ୍ଷମତା ପ୍ରୟୋଗ କରିବାକୁ ଅବସର ଆଣି ଦେଇଥିଲା। ଲକଡାଉନ୍ ଘୋଷଣା ପୂର୍ବରୁ ହିଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲ୍ ସହଯୋଗରେ ଦେଶର ସର୍ବବୃହତ୍‌ ତଥା ସର୍ବୋତ୍ତମ କୋଭିଡ୍ ହସ୍‌ପିଟାଲକୁ କାର୍ଯ୍ୟକାରୀ କରାଇଥିଲେ। ଭେଣ୍ଟିଲେଟର, ଆଇସିୟୁ ଭଳି ସବୁ ସୁବିଧା ଉପଲବ୍ଧ ଥିଲା। ମହତ୍ତ୍ୱପୂର୍ଣ୍ଣ ଏୟା ଥିଲା ଯେ- ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଖୁବ୍ କମ୍ ସମୟରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍‌ପିଟାଲ ଖୋଲି ପାରିଥିଲା। ରାଜ୍ୟର ବିକଶିତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସାଙ୍ଗକୁ ମାନବ ସମ୍ବଳ ଯଥେଷ୍ଟ ଥିଲା। ଆଜି ରାଜ୍ୟରେ ୮୩ ଡେଡିକେଟେଡ୍ କୋଭିଡ୍ ହସ୍‌ପିଟାଲ୍ ଓ ୧୦ ହଜାରରୁ ଅଧିକ ଶଯ୍ୟା ରହିଛି। ରାଜ୍ୟରେ ଆଇସିୟୁ ବେଡ୍ ସଂଖ୍ୟା ୩୩୦୦ରୁ ଊର୍ଦ୍ଧ୍ବ ଅଟେ। ଓଡ଼ିଶାର କୋଣ ଅନୁକୋଣରେ କୋଭିଡ୍ କେୟାର୍ ସେଣ୍ଟର୍ (ସିସିସି) ସ୍ଥାପନ କରିବା ଥିଲା ରାଜ୍ୟ ସରକାରଙ୍କ ଆଉ ଏକ ସଫଳତା। ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ୧୨୦ ସିସିସି ଓ ୧୭ ହଜାର ଶଯ୍ୟା ଜରିଆରେ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ପ୍ଲାଜମା ବ୍ୟାଙ୍କ୍ ସ୍ଥାପନ କରାଯାଇ ଆବଶ୍ୟକତା କ୍ଷେତ୍ରରେ ପ୍ରୟୋଗ ମଧ୍ୟ କରାଯାଇ ଥିଲା।

ମାନବ ସମ୍ବଳ ଦୃଷ୍ଟିରୁ ରାଜ୍ୟ ସରକାର ଗ୍ରହଣ କରିଥିଲେ ଅନେକ ବାସ୍ତବବାଦୀ ନିଷ୍ପତ୍ତି, ଯାହା ସ୍ଥିତି ସମ୍ଭାଳିବାକୁ ବେଶ୍ ସହାୟକ ହୋଇଥିଲା। ଜୁଲାଇ ୨୦୨୦ରେ ରାଜ୍ୟ ସରକାର ୬୭୯୮ ପଞ୍ଚାୟତରେ ୭୦୦୦ ପ୍ରଶିକ୍ଷିତ ବ୍ୟକ୍ତିଙ୍କୁ ସାମୟିକ ନିୟୋଜିତ କରିବା ପ୍ରସ୍ତାବକୁ ସ୍ବୀକୃତି ଦେଇଥିଲେ। ଏହି ବିଶାଳ ମେଡିକାଲ୍ ଓ ପାରାମେଡିକ୍ କ୍ୟାଡରରେ ସାମିଲ ଥିଲେ ନିଯୁକ୍ତିରୁ ବଞ୍ଚିତ ଅଥଚ ପଞ୍ଜୀକୃତ ବହୁ ସଂଖ୍ୟକ ଏଏନ୍ଏମ୍, ନର୍ସ ଓ ଫାର୍ମାସିଷ୍ଟ। ଏଥିସହ ସରକାର ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ଶେଷ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେବାରେ ନିୟୋଜିତ କରିଥିଲେ।

ଏହାବାଦେ ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ବେଶ୍ ତ୍ବରାନ୍ବିତ କରିଥିଲା। ଏଯାବତ୍ ରାଜ୍ୟରେ ୭୭ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ନ୍ୟୁନତମ କ୍ଷତି ଏଜେଣ୍ଡା ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଭିନ୍ନ ଭିନ୍ନ ମେଡିକାଲ କଲେଜ ହସ୍‌ପିଟାଲ, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ, ଚିକିତ୍ସା ସେବା ସହ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଷ୍ଠାନ ମଧ୍ୟରେ ସମନ୍ବୟର ଉତ୍ତମ ପ୍ରଦର୍ଶନ ଦେଖାଇଥିଲା। ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ପ୍ରଦୀପ ମହାପାତ୍ରଙ୍କ ଭଳି ଯୋଗ୍ୟ ଓ ଦକ୍ଷ ପ୍ରତିଭାସମ୍ପନ୍ନ ଅଧିକାରୀଗଣ ସରକାରଙ୍କ ପ୍ରତିଟି ପଦକ୍ଷେପରେ ଯେପରି ସାମୂହିକ ପ୍ରୟାସ ଯୋଡ଼ି ହୋଇ ରହିବ ତାହାକୁ ନିଶ୍ଚିତ କରାଇ ପାରିଥିଲେ।

ମହାମାରୀ ବିରୋଧରେ ଓଡ଼ିଶାର ସଂଘର୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଥିଲା ଉଲ୍ଲେଖନୀୟ। ପଜିଟିଭ୍ କେସ୍‌ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ଚିହ୍ନଟ, ଯୋଗାଣ ଶୃଙ୍ଖଳ ଅବ୍ୟାହତ ରଖିବା, ଆଗାମୀ ପଦକ୍ଷେପ ସକାଶେ ତଥ୍ୟର ସମୀକ୍ଷା ଓ ସମୀକରଣ କରିବା କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ଆଣି ଦେଇଥିଲେ ସଫଳତା। ତ୍ବରିତ ନିଷ୍ପତ୍ତି ନେବାରେ ସରକାରଙ୍କୁ ସହାୟକ ହୋଇଥିଲା। ଜିଓଗ୍ରାଫିକ୍ ଇନ୍‌ଫର୍ମେସନ୍ ସିଷ୍ଟମ୍ ଜରିଆରେ ଅତ୍ୟାଧୁନିକ କୌଶଳର ପ୍ରୟୋଗ କରି କଣ୍ଟନମେଣ୍ଟ ଜୋନ୍ ଚିହ୍ନଟ କରାଯାଇ ଥିଲା। ଜନସାଧାରଣଙ୍କ ସନ୍ଦେହମୋଚନ ଓ ତଥ୍ୟ ପ୍ରଦାନ ସକାଶେ ଉତ୍ସର୍ଗୀକୃତ କଲ୍ ସେଣ୍ଟର୍ ପ୍ରତିଷ୍ଠା ଥିଲା ଆଉ ଏକ ସୁଚିନ୍ତିତ ପଦକ୍ଷେପ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ବିଭାଗର ପ୍ରଥମ ବଡ଼ ପଦକ୍ଷେପ ଏୟା ଥିଲା ଯେ ପ୍ରବାସୀଙ୍କୁ ସ୍ବତଃପଞ୍ଜୀକରଣ ସକାଶେ ସକ୍ଷମ କରାଇ ପାରିଥିଲା। ଆଗନ୍ତୁକଙ୍କ ସକାଶେ ଇ-ପାସ୍ ଯୋଗାଣ ସୁପରିଚାଳିତ ହୋଇଥିଲା। ସଚେତକ ମୋବାଇଲ୍ ଆପ୍ ଓ ହ୍ବାଟସ୍ ଆପ୍ ସେବାକୁ ମଧ୍ୟ ଉପଯୋଗ କରାଯାଇ ଜନସଚେତନତା ସାଙ୍ଗକୁ କୋଭିଡ୍ ପଜିଟିଭ୍ ସମ୍ପର୍କିତ ସମୟ ଉପଯୋଗୀ ତଥ୍ୟ ସଂଗ୍ରହ କରାଯାଇ ପାରିଥିଲା। ରାଜ୍ୟ କୋଭିଡ୍ ଡ୍ୟାସବୋର୍ଡ କୋଭିଡ୍-୧୯ ତଥ୍ୟ ଓ ପ୍ରତିକାର ପଦକ୍ଷେପ ବାବଦରେ ଉପଯୁକ୍ତ ସମୟରେ ଉଚିତ ସୂଚନା ପ୍ରଦାନ କରିବାକୁ ସକ୍ଷମ ହୋଇଥିଲା। କୋଭିଡ୍ ହସ୍‌ପିଟାଲ ପରିଚାଳନା ତଦାରଖ ଦୃଷ୍ଟିରୁ ହେଲଥ୍ ଫାସିଲିଟି ପୋର୍ଟାଲ ସୃଷ୍ଟି କରାଯାଇ ଥିଲା। ଉଚିତ ସମୟରେ ଉପଯୁକ୍ତ ତଦାରଖ ଫଳରେ ସ୍ଥିତିକୁ ଭଲ ଭାବେ ସମ୍ଭାଳିବାରେ ତଥା ମୁକାବିଲା ନିମନ୍ତେ ସଠିକ୍ ଯୋଜନା କରିବା, ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, କ୍ବାରେଣ୍ଟାଇନ୍ ଓ ଯୋଗାଣ ଶୃଙ୍ଖଳ ଅବ୍ୟାହତ ରଖିବାରେ କର୍ତ୍ତୃପକ୍ଷଙ୍କୁ ବେଶ୍ ସହାୟତା ମିଳିଥିଲା।

ଟେକ୍ନୋଲୋଜି ଆଧାରିତ ସେବା ଉପରେ ଓଡ଼ିଶା ଗୁରୁତ୍ବ ଦେବା ଫଳରେ କୋଭିଡ୍–୧୯ ମୁକାବିଲା ପରିଚାଳନାରେ ଏଥିସମ୍ବନ୍ଧୀୟ ଆବଶ୍ୟକ କୌଶଳ ପ୍ରୟୋଗରେ ଆମ ରାଜ୍ୟକୁ ସଫଳତା ମିଳିଥିଲା। ଓଡ଼ିଶା କୋଭିଡ୍– ୧୯ ଡ୍ୟାସବୋର୍ଡ ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ ରହୁଥିଲା। ସମୟ ନିର୍ଦ୍ଧାରିତ ସଂକ୍ରମଣ ସଂଖ୍ୟା, ସୁସ୍ଥତା, ଟେଷ୍ଟିଂ, ଫଳାଫଳ ଓ ମୃତ୍ୟୁଜନିତ ତଥ୍ୟର ଦୈନିକ ନବୀକରଣ ଫଳରେ ମହାମାରୀର ମୁକାବିଲା ନେଇ ରଣନୀତି ସ୍ଥିର କରିବାରେ ବେଶ୍ ସହାୟତା ମିଳିଥିଲା। ଇଣ୍ଟରଆକ୍ଟିଭ୍ ଚାର୍ଟ, ଗ୍ରାଫ୍, ଡାଏଗ୍ରାମ୍ ଦ୍ଵାରା ସ୍ଥିତିକୁ ବୁଝିବା ସାଧାରଣ ଲୋକ ଓ ଯୋଜନାକାରୀଙ୍କ ପାଇଁ ସହଜ ହୋଇଥିଲା। ଷ୍ଟାଟସ୍, ଲୋକେସନ୍, ଡେମୋଗ୍ରାଫିକ୍, ସ୍ପ୍ରେଡ୍ ଓ ଟ୍ରେଣ୍ଡ ଆନାଲିସିସ୍ ଆଦି ବିଭିନ୍ନ ସ୍ତରରେ କୌଣସି କ୍ଷତି ନସହି ସମ୍ବଳର ଯଥା ଉପଯୋଗ କରିବାରେ ପ୍ରଶାସନକୁ ସହାୟକ ହୋଇଥିଲା। ପ୍ରଥମ ପରି ଦ୍ବିତୀୟ ଲହରୀ ବେଳେ ମଧ୍ୟ ଏସବୁ ତଥ୍ୟ ଆଗୁଆ ମୁକାବିଲା କୌଶଳ ନିର୍ଦ୍ଧାରଣ କରିବାରେ ପ୍ରଶାସନିକ କଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ସ୍ୱାସ୍ଥ୍ୟସେବା ଭଳି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ଯୁଗପଯୋଗୀ ପ୍ରଯୁକ୍ତି କୌଶଳର ବିନିଯୋଗ ଓଡ଼ିଶାକୁ ବିଜେତା ସାଜିବାର ମାଧ୍ୟମ ହୋଇଥିଲା।

ହଜାର ହଜାର ଶଯ୍ୟା, ଭେଣ୍ଟିଲେଟର୍, ଆଇସିୟୁ ସୁବିଧା ସମ୍ପନ୍ନ ୩୪ କୋଭିଡ୍ ହସ୍‌ପିଟାଲ ପରି ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ପରିଚାଳନା ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବିନା ବେଶ୍ କାଠିକର ହୋଇଥାନ୍ତା। ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ଥିଲା ଯେ- ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ସାଧାରଣ ଲୋକଙ୍କ ପ୍ରଶ୍ନ ଓ ସନ୍ଦେହର ଉଚିତ ପ୍ରତିକ୍ରିୟା ରଖିବା। ଓକାକ୍ ଏବଂ ସେହିପରି ଅନ୍ୟ ଅନୁଷ୍ଠାନ ଦ୍ବାରା ଦିବାରାତ୍ର ପରିଚାଳିତ ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ କଲ୍ ସେଣ୍ଟର୍ ଲୋକଙ୍କୁ ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରତିଟି ସମୟରେ ଦେଇ ଆସିଛି। ଟୋଲ୍ ଫ୍ରି ନମ୍ବର ୧୦୪ ସମ୍ବଳିତ ସର୍ବବୃହତ୍ ସର୍ବୋତ୍ତମ କଲ୍ ସେଣ୍ଟର୍ (ଭୁବନେଶ୍ୱର) ରାଜ୍ୟର ହଜାର ହଜାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁଛି। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇ.ଟି. ସଚିବ ମନୋଜ କୁମାର ମିଶ୍ରଙ୍କ ଭଳି ସକ୍ଷମ ଅଧିକାରୀଙ୍କ ନେତୃତ୍ବରେ ଏଭଳି ଡିଜିଟାଲ ଆପ୍ରୋଚ୍ ବିଭିନ୍ନ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଛି।

ସୀମାବର୍ତ୍ତୀ ଚେକ୍‌ ପଏଣ୍ଟରେ ଆଇ.ଟି. ଆଧାରିତ ପଞ୍ଜୀକରଣ ବ୍ୟବସ୍ଥା ଓ ଭିଟାମାଟିକୁ ସଡ଼କ ପଥରେ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ସକାଶେ କୋଭିଡ୍ ପୋର୍ଟାଲରେ ଆଗୁଆ ପଞ୍ଜୀକରଣ ଦ୍ୱାରା ସେମାନଙ୍କ ଉପରେ ନଜର ରଖିବାରେ ପ୍ରଶାସନକୁ ବେଶ୍ ସହାୟତା ମିଳିଥିଲା। ରାଜ୍ୟ ଡ୍ୟାସବୋର୍ଡରେ କୋଭିଡ୍ ଟେଷ୍ଟ୍ ରିପୋର୍ଟ ବ୍ୟବସ୍ଥା ଆଉ ଏକ ସମୟ ଉପଯୋଗୀ ପଦକ୍ଷେପ ଅଟେ। ଲୋକେ ଏଣେତେଣେ ନଦୌଡ଼ି କେବଳ କମ୍ପ୍ୟୁଟରରେ ଗୋଟିଏ କ୍ଲିକ୍ କରି ସେମାନଙ୍କ ଟେଷ୍ଟ ତଥ୍ୟ ଜାଣିପାରୁଛନ୍ତି। କେବଳ ପଞ୍ଜୀକୃତ ମୋବାଇଲ୍ ନମ୍ବର ତଥା ଏଆରଏଫ୍ ଆଇଡି ଦର୍ଶାଇ ସେମାନେ ରିପୋର୍ଟ ପଜିଟିଭୄ କି ନେଗେଟିଭ୍ ସହଜରେ ଜାଣିପାରୁଛନ୍ତି।

ଏହି ମହାମାରୀ ମୁକାବିଲାରେ ପୁଲିସ ବାହିନୀର ଭୂମିକାକୁ ଗୌଣ କରିହେବନି। ସମ୍ମୁଖ ଭାଗ ଯୋଦ୍ଧା ଭାବେ ସେମାନେ ଭାଇରସ୍ ଓ ଜନସାଧାରଣଙ୍କ ମଧ୍ୟରେ ଅଛିଦ୍ର ପାଚେରୀ ସଦୃଶ ଠିଆ ହୋଇ କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଶା ପୁଲିସର ସକ୍ରିୟ ସହଯୋଗ ବିନା କୋଭିଡ୍ ମୁକାବିଲା କେବେବି ସମ୍ଭବପର ହୋଇନଥାନ୍ତା। ଲକଡାଉନ୍ ଲାଗୁ ହେବାର ପ୍ରଥମ ଦିନରୁ ଏଯାବତ୍ ଓଡ଼ିଶା ପୁଲିସ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରି ଆସିଛି। ଭିଡ଼ ନିୟନ୍ତ୍ରଣ ହେଉ ବା ସାମାଜିକ ଦୂରତା କାର୍ଯ୍ୟକାରୀ କରିବା, ସଟଡାଉନରେ ରାତ୍ର ପଇଁତରା ହେଉ ବା ପ୍ରବାସୀଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ପହଞ୍ଚାଇବା, ସର୍ବାଧିକ ସଂକ୍ରମିତ ଅଞ୍ଚଳରୁ ଲୋକଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ସୀମା ଚେକ୍ ପଏଣ୍ଟରେ ଯାଞ୍ଚ ହେଉ ବା ଅସହାୟ ଲୋକଙ୍କୁ ସହାୟତା ଓ ସେବା ଯୋଗାଇଦେବା ହେଉ ପ୍ରତିଟି କ୍ଷେତ୍ରରେ ଓ ପ୍ରତିଟି ସମୟରେ ଓଡ଼ିଶା ପୁଲିସ ତାର ଦାୟିତ୍ବ ସୂଚାରୁ ରୂପେ ତୁଲାଇ ଆସିଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ବରିଷ୍ଠ ସହଯୋଗୀଙ୍କ ସହ ବାରମ୍ବାର ବିଭିନ୍ନ ଜିଲ୍ଲା ଗସ୍ତ କରି ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ତଦାରଖ କରିବା ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି। ଏହାଦ୍ବାରା ପୁଲିସ ବାହିନୀର ନୈତିକତା ମନୋବଳ ଉଚ୍ଚ ରହି ଆସିଥିଲା। ନିଜର ଏକ ବକ୍ତବ୍ୟରେ ଡିଜିପି ଅଭୟ କହିଥିଲେ ଯେ- ପୁଲିସ ବଡ଼ ଅପରାଧକୁ ରୋକିବା ଓ ଅପରାଧୀଙ୍କୁ ଧରିବା ନିମନ୍ତେ ଉଦ୍ଦିଷ୍ଟ। କିନ୍ତୁ ମାସ୍କ ନପିନ୍ଧିବା ଲାଗି ଲୋକଙ୍କୁ ଅଟକ ରଖିବା, ଗହଳି କରିବାରୁ ଲୋକଙ୍କୁ କ୍ଷାନ୍ତ କରିବା, ସଟ୍‌ଡାଉନ୍ ଓ ଲକଡାଉନ୍ କର୍ଫ୍ୟୁ ଉଲ୍ଲଂଘନକୁ ରୋକିବା ମଧ୍ୟ ମହାମାରୀ ସମୟରେ ପୁଲିସର କାର୍ଯ୍ୟରେ ସାମିଲ୍ ହୋଇଯାଇଛି।

କରୋନା ଶୃଙ୍ଖଳକୁ ଭାଙ୍ଗି ସଂକ୍ରମଣ ରୋକିବାର ପ୍ରଥମ ପଦକ୍ଷେପ ଥିଲା ଲୋକଙ୍କ ଅଯଥା ଚଳାଚଳକୁ ବନ୍ଦ କରିବା। ଲୋକେ ଘରେ ଯେଭଳି ରହିବେ ସେଥିପାଇଁ ଲକଡାଉନ୍ ସମୟରେ କଡ଼ାକଡ଼ି ଯାଞ୍ଚ କରାଯାଇ ଥିଲା। ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହା ଉପରେ ନଜର ରଖିବା ପୁଲିସ ବାହିନୀ ବିନା ସମ୍ଭବପର ନଥିଲା। ଲକ୍ଷ ଲକ୍ଷ ପ୍ରବାସୀଙ୍କ ପରିଚାଳନା ମଧ୍ୟ ରାଜ୍ୟ ପୁଲିସର ଏକ ବଡ଼ ସଫଳତା ଥିଲା। ଖାକି ପିନ୍ଧା ଏଇ ହିରୋମାନେ ସବୁ ସମୟରେ ଏଥିପାଇଁ ସଡ଼କ ଉପରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଭାଇରସ୍ ସଂକ୍ରମଣ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନ୍ ପରିଚାଳନା ମଧ୍ୟ ଥିଲା ପୁଲିସ ବାହିନୀ ପାଇଁ ଆଉ ଏକ ଆହ୍ବାନ। କୋଭିଡ୍ ହସ୍‌ପିଟାଲ୍ ଓ ସିସିସିରେ ସୁରକ୍ଷା ଯୋଗାଇଦେବାରେ ସକ୍ରିୟ ସହଭାଗିତା ଦେଖାଇଥିଲା ପୁଲିସ ବାହିନୀ। ଖାକି ବାହିନୀର ମାନବୀୟ ଦିଗ ମଧ୍ୟ ସେତେବେଳେ ଉଚ୍ଚ ପ୍ରଶଂସିତ ହୋଇଥିଲା ଯେତେବେଳେ ନିଜେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସା ସକାଶେ ହଜାର ହଜାର ପୁଲିସ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ। ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ଅନେକଙ୍କ ସକାଶେ ଦେବଦୂତ ପାଲଟିଥିଲେ ପୁଲିସ କର୍ମଚାରୀ। ମହାମାରୀର ସଙ୍କଟ ମଧ୍ୟରେ ଏଭଳି ମାନବିକତାପୂର୍ଣ୍ଣ ଆଚରଣର ହଜାର ହଜାର ନଜିର ଦେଖିବାକୁ ମିଳିବ। ବରିଷ୍ଠ ଆଇପିଏସ୍ ଯଶୋବନ୍ତ ଜେଠୁଆଙ୍କ ତତ୍ତ୍ବାବଧାନରେ ଆମ ରାଜ୍ୟରୁ ୧୪୧୫ ଟ୍ୟାଙ୍କର୍ ଜରିଆରେ ୨୬୦୭୭ ଟନ୍ ତରଳ ଅମ୍ଲଜାନ ପୁଲିସ ସୁରକ୍ଷା ମଧ୍ୟରେ ୧୬ ଗୋଟି ରାଜ୍ୟକୁ ଜରୁରି ଆବଶ୍ୟକତା ପୂରଣ ପାଇଁ ତ୍ବରିତ ପହଞ୍ଚାଇ ଓଡ଼ିଶା ପୁଲିସ ସାରା ଦେଶରେ ଏକ ବିରଳ ପରମ୍ପରା ସୃଷ୍ଟି କରିପାରିଛି। କର୍ତ୍ତବ୍ୟର ଏଭଳି ଉଜ୍ଜ୍ବଳତମ ପ୍ରତୀକ ସାଜିଥିବା ଓଡ଼ିଶା ପୁଲିସ ପାଇଁ ଆମେ ଗୌରବାନ୍ବିତ।

ଏହି କଠିନ ସମୟରେ ଆଉ ଏକ ବିଭାଗ ତାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ତାହା ହେଉଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଲୋକଙ୍କ ନିକଟରେ ଯଥାସମ୍ଭବ ସମସ୍ତ ତଥ୍ୟ ଯଥାଶୀଘ୍ର ପହଞ୍ଚାଇବାକୁ ପ୍ରୟାସ କରିଥିଲା ଏହି ବିଭାଗ। ସାଧାରଣ ଜନତା, ସରକାର ଓ ନେତୃତ୍ଵ ମଧ୍ୟରେ ଏକ ସେତୁ ସଦୃଶ କାମ କରିଥିଲା ଏହି ବିଭାଗ। ରାଜ୍ୟ ସରକାର ପ୍ରଥମ ଦିନରୁ ସୁବ୍ରତୋ ବାଗ୍‌ଚୀଙ୍କୁ କୋଭିଡ୍ ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିଲେ। ପ୍ରଥମ ଦିନରୁ ସରକାରଙ୍କ ଫୋକସରେ ରହିଥିଲା ଯେ କିଭଳି ଲୋକଙ୍କୁ ମହାମାରୀ ମୁକାବିଲା ସମ୍ପର୍କରେ ସମସ୍ତ ତଥ୍ୟ ଉପଯୁକ୍ତ ଭାବେ ଅବଗତ କରାଇବା। ବରିଷ୍ଠ ଆଇଏଏସ୍ ସଞ୍ଜୟ କୁମାର ସିଂହ (ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ କମିଶନର)ଙ୍କ ନେତୃତ୍ବରେ ଏ ଦିଗରେ ବିଭିନ୍ନ ନିଆରା ପଦକ୍ଷେପ ନେଇଥିଲା ସୂଚନା ଓ ଲୋକସମ୍ପର୍କ ବିଭାଗ। ବର୍ତ୍ତମାନ ବିଷ୍ଣୁପଦ ସେଠୀ ଏହି ବିଭାଗର ନେତୃତ୍ବ ନେଇ ଏହି ଘଡ଼ିସନ୍ଧି ବେଳରେ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛନ୍ତି।

ପ୍ରଥମ ଲହରୀ ବେଳେ ଯେତେବେଳେ ସଂକ୍ରମଣ ଉପରମୁହାଁ ହୋଇ ଚାଲିଥିଲା ସେତେବେଳେ ଦୈନିକ ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ଏହି ବିଭାଗର ପ୍ରାଥମିକତା ଥିଲା । କରୋନା ପ୍ରତିକାର ଦୃଷ୍ଟିରୁ ବିଶେଷଜ୍ଞଙ୍କୁ ଆଲୋଚନାକୁ ଡକାଇ ଲୋକଙ୍କ ସକାଶେ ଆବଶ୍ୟକ ଓ ଦରକାରୀ ସୂଚନା ପ୍ରଦାନ କରିଥିଲା ଏହି ବିଭାଗ। ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲା ଓ ପରିଚାଳନା ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରୁଥିଲା। ଟେଷ୍ଟିଂ, ଟ୍ରାକିଂ, ରୋଗୀଙ୍କ ଚିକିତ୍ସା ବାବଦରେ ତଥ୍ୟ ପ୍ରଦାନ କ୍ଷେତ୍ରରେ ସୋସିଆଲ୍ ମିଡିଆ (ହ୍ବାଟସ୍ ଆପ୍, ଟ୍ବିଟର୍, ଫେସ୍‌ବୁକ୍)ର ସଦୁପଯୋଗ କରିପାରିଥିଲା ଉକ୍ତ ବିଭାଗ। ଦୈନନ୍ଦିନ ଅବଗତ କରାଇବା ଦ୍ବାରା ଲୋକେ ରାଜ୍ୟ- ଦେଶ- ବିଶ୍ୱରେ କରୋନା ସମ୍ପର୍କିତ ସବୁ ସୂଚନା ପାଇପାରୁଥିଲେ। ମୋବାଇଲ୍ ମେସେଜ୍ ଜରିଆରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଓଡ଼ିଶାର ମହାମାରୀ ମୁକାବିଲା ସମ୍ପୂର୍ଣ୍ଣ ସଫଳ ହୁଅନ୍ତାନି ଯଦି ମିଶନ୍ ଶକ୍ତିର ଅବଦାନ ନଥାନ୍ତା। ୭ ଲକ୍ଷ ମହିଳାଙ୍କ ନିରବ ସେନା ଏହି ଲଢ଼େଇରେ ନିଜର ଭରପୁର ଯୋଗଦାନ କରି ଆସିଛି। ଫଳରେ ତୃଣମୂଳସ୍ତରରେ କରୋନା ପ୍ରତିହତ ସମ୍ଭବପର ହୋଇପାରିଛି। ସଚିବ ସୁଜାତା ଆର୍.କାର୍ତ୍ତିକେୟନଙ୍କ ନେତୃତ୍ବରେ ଏହାର ସଦସ୍ୟମାନେ ଗାଁ ହେଉକି ପଞ୍ଚାୟତ, ବ୍ଲକ୍ ଅଥବା ସହର, ସବୁଠି ସମସ୍ତ କଳବଳ କୌଶଳ ଖଟାଇ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଛନ୍ତି। ବିଶେଷ କରି ଲୋକଙ୍କୁ ସଚେତନ କରାଇ ସଜାଗ ରଖିବାରେ ଏହି ମହିଳା ବାହିନୀର ଭୂମିକା ପ୍ରଣିଧାନଯୋଗ୍ୟ।

ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ କରୋନା ବିରୋଧୀ ଲଢ଼େଇର ସମ୍ମୁଖ ଭାଗରେ ସେନାପତି ଭଳି ଦଣ୍ଡାୟମାନ ରହିଥିଲେ। ସେମାନଙ୍କ ପ୍ରଶାସନିକ ଦକ୍ଷତାକୁ ଧନ୍ୟବାଦ, ଯାହାଫଳରେ ରାଜ୍ୟ ସରକାରଙ୍କ ସମସ୍ତ ରଣକୌଶଳ ସଫଳତାର ସହ ସବୁ ସ୍ତରରେ କାର୍ଯ୍ୟକାରୀ ହୋଇପାରିଥିଲା। ଏପରିକି କିଛି ଜିଲ୍ଲାପାଳ ସେମାନଙ୍କ ନିଆରା ଚିନ୍ତାଧାରା ପ୍ରୟୋଗ କରି ମହାମାରୀ ବିରୋଧୀ ସଂଘର୍ଷକୁ ସ୍ଥାନୀୟ ସ୍ତରରେ ଅଧିକ ବଳ ଦେଇଥିଲେ। ତୃଣମୂଳସ୍ତରର କର୍ମଚାରୀଙ୍କ ସହ ଉଚିତ ସମନ୍ବୟ ରକ୍ଷା କରି ଜିଲ୍ଲାପାଳମାନେ କରୋନା ଚେନକୁ ଭାଙ୍ଗିବାରେ ସକ୍ଷମ ହୋଇପାରିଥିଲେ। ଏଥିସହ ଗ୍ରାମାଞ୍ଚଳ ଓ ମଧ୍ୟମବର୍ଗର ସହରାଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ରକ୍ଷାରେ ମଧ୍ୟ ସହାୟକ ସାଜିଥିଲେ।

ରାଜ୍ୟର ମହାନଗରମାନଙ୍କରେ ଯେଉଁଠି ମହାମାରୀର ଅଧିକ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା ସେଠି ପୌର କମିଶନରଙ୍କ ଉପରେ ଥିଲା ଗୁରୁଦାୟିତ୍ବ। ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଭଳି ମହାନଗରରେ ପୌର କମିଶନରଙ୍କ ସକ୍ରିୟ ଭୂମିକା ଓ କାର୍ଯ୍ୟ ବଳରେ ସଂକ୍ରମଣକୁ ପ୍ରତିହତ କରିବା ସମ୍ଭବପର ହୋଇପାରିଥିଲା। ପ୍ରକୃତ ଯୋଦ୍ଧାର ଭୂମିକା ତୁଲାଇଥିଲେ ସେମାନେ। ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସେମାନେ ସାଜିଥିଲେ ସରକାରୀ କଳର ଚେହେରା। ସଂକ୍ରମିତ ଅଞ୍ଚଳକୁ ବିଶୋଧନ କରିବାରୁ ଆରମ୍ଭ କରି କଣ୍ଟେନମେଣ୍ଟ୍ ଜୋନ୍ ଲାଗୁ କରିବା, ଲୋକଙ୍କୁ ସୁରକ୍ଷିତ ରଖିବା ଥିଲା ସେମାନଙ୍କ ପ୍ରାଥମିକ ଦାୟିତ୍ୱ। ମହାନଗରମାନଙ୍କରେ ସର୍ବାଧିକ ସଂକ୍ରମିତ ଲୋକ ପୌର ପ୍ରଶାସନ ପରିଚାଳିତ କୋଭିଡ୍ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ସୁପରିଚାଳନାର ଫଳ ଏୟା ଯେ- ଏ ନେଇ ଅଭିଯୋଗ ସଂଖ୍ୟା ନଗଣ୍ୟ। ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସେମାନଙ୍କୁ ଏହି ଦାୟିତ୍ବ ତୁଲାଇବାକୁ ହୋଇଥିଲା। ଟିମ୍ ଓଡ଼ିଶାର ମହାମାରୀ ବିରୋଧରେ ସଂଘର୍ଷ ଏମାନଙ୍କ ବିନା ଅସମ୍ପୂର୍ଣ୍ଣ ରହିବ।

ଗୋଟିଏ ପଟେ ମହାମାରୀ, ଆରପଟେ ମହାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଏକାସାଙ୍ଗରେ ସଫଳ ମୁକାବିଲା କରିପାରିଥିଲା ଓଡ଼ିଶା। ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରି ସଫଳତା ଆଣି ଦେଇଥିଲା। ଟିମ୍ ଅଂଶବିଶେଷ ଭାବେ ପ୍ରତିଟି ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରୟାସର ସର୍ବଶ୍ରେଷ୍ଠ ଅବଦାନ ଦେଇ ଆସିଛନ୍ତି। ସର୍ବୋତ୍ତମ ସମନ୍ବୟ ଏଥିପାଇଁ ସମ୍ଭବପର ହୋଇପାରିଛି ଯେ ସମସ୍ତଙ୍କ ଗୋଟିଏ ଆଭିମୁଖ୍ୟ ଥିଲା। ତାହା ହେଉଛି କରୋନା କବଳରୁ ଓଡ଼ିଶାବାସୀଙ୍କୁ ନିରାପଦ ରଖିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଠିକ କାର୍ଯ୍ୟକାରିତା ଜରିଆରେ ଲକ୍ଷ୍ୟ ହାସଲ କରିବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଆଧାରରେ ଟିମ୍ ଓଡ଼ିଶା ପ୍ରମାଣିତ କରି ଦେଇଛି ଯେକୌଣସି ବିପତ୍ତି ଆସୁ, ପ୍ରାକୃତିକ ବିପର୍ଯ୍ୟୟ ଅଥବା ମହାମାରୀ ଆମେ ସବୁବେଳେ ଏକତ୍ରିତ ରହି ବିଜୟୀ ହୋଇପାରିବା। ଆଉ ଏ କ୍ଷେତ୍ରରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସହଯୋଗର ମୂଲ୍ୟ ସର୍ବୋତ୍ତମ ରହି ଆସିଛି। ସେମାନଙ୍କ ସହଯୋଗ ବିନା ସଫଳତା କାମନା କରିବା ଅସମ୍ଭବ। ରାଜ୍ୟ ସରକାର ତଥା ନବୀନ ପଟ୍ଟନାୟକଙ୍କ ଉପରେ ସେମାନଙ୍କ ଭରସା ଓ ବିଶ୍ୱାସ ବୄଦ୍ଧି ପାଇବାରେ ଲାଗିଛି।

Leave A Reply

Your email address will not be published.

This site uses Akismet to reduce spam. Learn how your comment data is processed.