ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି : ଜୁଲାଇ ୨୫ ଯାଏ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ, ୮ଟି ଦ୍ୱାରର ହେବ ରୂପା ଛାଉଣୀ

ପୁରୀ- ଜୁଲାଇ ୨୫ ତାରିଖ ଯାଏ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ବିନାଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଆଜିର ବୈଠକରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବି ହୋଇଛି । ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା ଛାଉଣୀ କରାଯିବ । ପରୀକ୍ଷାମୂଳକ ଭାବେ ପ୍ରଥମେ ଜୟବିଜୟ ଓ ଭୋଗମଣ୍ଡପ ଘରର ଦ୍ୱାର ରୂପା ଛାଉଣୀ କରାଯିବ । ଏହାର ଡିଜାଇନ ଆପାତତଃ ଚୂଡାନ୍ତ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ରୂପା ଛାଉଣୀ ପାଇଁ ଆବଶ୍ୟକ ବର୍ମାଟିକ କାଠ ପହଂଚିସାରିଛି । ୧୫ ଜଣ କାରିଗରଙ୍କ ଦ୍ୱାରା ଏହି କାମ ନିଳାଦ୍ରୀ ଭକ୍ତ ନିବାସରେ ଆରମ୍ଭ ହୋଇଛି । କବାଟ ଓ ରୂପା ଛାଉଣୀ ତତ୍ତାବଧାନ ପାଇଁ ୨ଟି କମିଟି ଗଠନ କରାଯାଇଛି । ଇଂଜିନିୟରଙ୍କୁ ନେଇ ବୈଷୟିକ କମିଟି ଓ ସେବାୟତଙ୍କୁ ନେଇ ଆଉ ଏକ କମିଟି କରାଯାଇଛି । ମୂଳ ଦ୍ୱାରର ଡିଜାଇନ ଅକ୍ଷୁର୍ଣ୍ଣ ରହିବ । ଉତ୍କଳୀୟ କଳା ସ୍ଥାପତ୍ୟର ଡିଜାଇନ ମଧ୍ୟ ସ୍ଥାନ ପାଇବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Comments are closed.