ଚାରି ରାଜ୍ୟର ଲୋକଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ କଡ଼ା ନିୟମ: କୋଭିଡ୍ ନେଗେଟିଭ୍ ରିପୋର୍ଟ ବିନା ରାଜ୍ୟରେ ପ୍ରବେଶ ଅନୁମତି ମିଳିବନି

ମୁମ୍ବାଇ – କରୋନା ସଂକ୍ରମଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଚାରି ରାଜ୍ୟ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆର ଲୋକଙ୍କ ପାଇଁ ମହାରାଷ୍ଟ୍ର ସରକାର କଡ଼ା ନିୟମ ଲାଗୁ କରିଛନ୍ତି । କୋଭିଡ୍ ନେଗେଟିଭ୍ ହୋଇଥିଲେ ହିଁ ଏହି ଚାରି ରାଜ୍ୟର ଲୋକଙ୍କୁ ମହାରାଷ୍ଟ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ।

ଏଥିପାଇଁ ଏହି ଚାରି ରାଜ୍ୟର ଲୋକଙ୍କୁ ନିଜର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏହି ଚାରି ରାଜ୍ୟରେ ବର୍ତ୍ତମାନ ଦୈନିକ କୋଭିଡ୍ ମାମଲା ସର୍ବାଧିକ । ବିଶେଷକରି ଦିଲ୍ଲୀରେ ଏବେ କରୋନାର ତୃତୀୟ ପ୍ରବାହ ଆରମ୍ଭ ହୋଇଛି ଏବଂ ସଂକ୍ରମଣ ଭୟଙ୍କର ଭାବେ ବଢିଚାଲିଛି ।

ମହାରାଷ୍ଟ୍ର ସରକାରଙ୍କ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଆସୁଥିବା ବିମାନଯାତ୍ରୀଙ୍କୁ ଏୟାରପୋର୍ଟରେ ପହଞ୍ôଚବା ପରେ ନିଜର ନେଗେଟିଭ୍ ଆରଟି-ପିସିଆର ରିପୋର୍ଟ ଦେଖାଇବାକୁ ପଡିବ । ବିମାନ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏହି ଚାରି ରାଜ୍ୟର ଯାତ୍ରୀଙ୍କୁ ନିଜ କୋଭିଡ୍ ଟେଷ୍ଟ କରିଥିବାକୁ ପଡିବ । ସେହିପରି ଏହି ଚାରି ରାଜ୍ୟର ରେଳଯାତ୍ରୀ ଓ ସଡ଼କପଥରେ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ।

ରେଳଯାତ୍ରୀଙ୍କୁ ମଧ୍ୟ ନିଜର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ରେଳଯାତ୍ରୀୁ ଯାତ୍ରା କରିବାର ୯୬ ଘଣ୍ଟା ପୂର୍ବରୁ ନିଜ କୋଭିଡ୍ ଟେଷ୍ଟ କରିଥିବା ଜରୁରୀ । ସଡ଼କପଥରେ ଆସୁଥିବା ଲୋକଙ୍କ ଚେକପୋଷ୍ଟ ମାନଙ୍କରେ ସ୍କ୍ରିନିଂ କରାଯିବ । ଯଦି କୌଣସି ଲୋକଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ପଜିଟିଭ୍ ଚିହ୍ନଟ ହେଲେ ସମ୍ପୃକ୍ତ ଲୋକଙ୍କୁ ଏକ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ । ଚିକିତ୍ସା ଖର୍ଚ୍ଚ ସମ୍ପୃକ୍ତ ଲୋକଙ୍କୁ ହିଁ ବହନ କରିବାକୁ ପଡିବ ।

Comments are closed.