ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ଜଣେ ଠକ, ଚାକିରୀ ଦେବା ନାଁରେ ମୋଟା ରକମ ନେଇ ଲୋକଙ୍କୁ ଠକିଥିବା ଅଭିଯୋଗ

ଭୁବନେଶ୍ୱର- ବାପା ତ ବାପା , ପୁଅ ବି କିଛି କମ୍ ନୁହନ୍ତି । ଆୟ ବହିର୍ଭୂତ ସଂପତି ଠୁଳ, ବିଳାସ ଓ ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀ ପାଇଁ ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ନାମରେ ଆସିଛି ସଂଗୀନ ଠକେଇ ଅଭିଯୋଗ । ଟାଟା ମୋଟର୍ସ କଂପାନିର ଅଧିକାରୀ ଭାବେ ଜାଲ୍ ପରିଚୟ ଦେଇ ଆକାଶ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କ୍ରାଇମବ୍ରାଂଚରେ ଏହି ଅଭିଯୋଗ କରିଛନ୍ତି ଟାଟା ମୋଟର୍ସର ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି । ନିଜକୁ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଆକାଶ ଜାଲିଆତି କରୁଥିଲେ ବୋଲି କଂପାନି ପକ୍ଷରୁ ଦାୟର ଏତଲାରେ ଉଲ୍ଲେଖ କରାଯାଇଛି । ଲୋକଙ୍କୁ ଚାକିରୀ ଦେବା କହି ଆକାଶ ସେମାନଙ୍କୁ ଠକିଛନ୍ତି ।

ଚଳିତବର୍ଷ ମେ ୭ ତାରିଖରେ ଟାଟା ମୋଟର୍ସ ବିଜୟ କୁମାର ଝା ନାମକ ବ୍ୟକ୍ତିଙ୍କଠାରୁ ପାଇଥିବା ମେଲ୍‌ରୁ ଆକାଶଙ୍କ ଠକେଇ ବାବଦରେ ସୂଚନା ପାଇଥିଲା । ବିଜୟ କଂପାନିକୁ ଲେଖିଥିବା ମେଲ୍‌ରେ ଆକାଶ ପାଠକଙ୍କ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ପାଇଥିଲେ । ଆକାଶ ନିଜକୁ ଟାଟା ମୋଟର୍ସ ପୁନେ ଡିଭିଜନର ଏମଡି ଅଛନ୍ତି କି ନାହିଁ ,ତାହା ସେ ଜାଣିବାକୁ ଚାହିଁଥିଲେ । ନିଜକୁ ଏମଡି ଭାବେ ବୋଲି ପରିଚୟ ଦେଇ ଆକାଶ ଅନେକଙ୍କୁ ଠକିଛନ୍ତି । ଚାକିରୀ ଦେବା ନାଁରେ ସେ ମୋଟା ରକମ ଟଙ୍କା ବି ନେଇଥିବା ଅଭିଯୋଗ ହୋଇଛି । ଠକେଇ ପାଇଁ ଆକାଶ ଟାଟା ମୋଟର୍ସର ଜାଲ୍ ପରିଚୟ ପଚ୍ର, ଲୋଗୋ ବ୍ୟବହାର କରୁଥିବା କଂପାନି ପକ୍ଷରୁ ଅଭିଯୋଗ କରାଯାଇଛି । ଜାଲ୍ ଭିଜିଟିଂ କାର୍ଡ ମଧ୍ୟ ସେ ପ୍ରସ୍ତୁତ କରିଥିଲେ । କଂପାନି ପକ୍ଷରୁ ସବୁ ଜାଲ୍ ଦସ୍ତାବିଜର କରି କ୍ରାଇମବ୍ରାଂଚକୁ ଦିଆଯାଇଛି ।

Comments are closed.